ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍ ଇରାନ ଉପରେ ଏକ ଯୁଦ୍ଧ ମିଶନରେ ଥିବାବେଳେ ଜରୁରୀକାଳୀନ ଅବତରଣ (Emergency Landing) କରିଛି। ସୂତ୍ର ଅନୁସାରେ, ଏହି ବିମାନ ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି।
US ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କ୍ୟାପଟେନ ଟିମ୍ ହକିନ୍ସ କହିଛନ୍ତି ଯେ, “ପଞ୍ଚମ ପିଢ଼ିର ଏହି ଷ୍ଟେଲଥ ଜେଟ୍ ଇରାନ ଆକାଶ ମାର୍ଗରେ ଏକ କମ୍ବାଟ ମିଶନରେ ଥିଲା। କୌଣସି କାରଣରୁ ଏହାକୁ ମଧ୍ୟ-ପ୍ରାଚ୍ୟ ସ୍ଥିତ ଏକ ଆମେରିକୀୟ ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ପାଇଲଟଙ୍କ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି।
ରିପୋର୍ଟ ଅନୁଯାୟୀ, ଫେବୃଆରୀ ଶେଷରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯେଉଁଠାରେ ଇରାନ ଏକ ଆମେରିକୀୟ ବିମାନକୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୧୦୦ ମିଲିୟନ ଡଲାର (୮୦୦ କୋଟିରୁ ଅଧିକ ଟଙ୍କା) ମୂଲ୍ୟର ଏହି F-୩୫ ଜେଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଅନ୍ୟତମ। ଏହି ଜରୁରୀକାଳୀନ ଅବତରଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ଇରାନ ବିରୋଧରେ ବଡ଼ ସଫଳତା ପାଇଥିବା ଦାବି କରୁଛି।
ତେବେ ଯଦି ଇରାନ ପକ୍ଷରୁ ପ୍ରକୃତରେ F-୩୫ କୁ ଟାର୍ଗେଟ କରାଯାଇଛି, ତେବେ ଏହା ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ନୂଆ ମୋଡ଼ ଦେଇପାରେ।