ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ ମଧ୍ୟ କୌଣସି ସହମତି ହୋଇପାରି ନାହିଁ। ଆମେରିକାର କଠୋର ସର୍ତ୍ତକୁ ମାନିବାକୁ ଇରାନ ସଫା ସଫା ମନା କରିଦେବା ପରେ, ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ (JD Vance) ପାକିସ୍ତାନ ଛାଡି ଚାଲିଯାଇଛନ୍ତି।
ଏହି ବାର୍ତ୍ତା ବିଫଳ ହେବା ପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘାନାସ୍ଥିତ ଇରାନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆମେରିକା ନିଜର ଉପରାଷ୍ଟ୍ରପତିଙ୍କୁ ଦୁନିଆର ଅନ୍ୟ ଏକ ପ୍ରାନ୍ତକୁ ପଠାଇଲା, କିନ୍ତୁ ସେଠାରେ ଏଭଳି ଦାବି ରଖିଲା ଯାହା ସେମାନେ ଯୁଦ୍ଧ ଜରିଆରେ ମଧ୍ୟ ହାସଲ କରିପାରି ନାହାନ୍ତି। ଇରାନ କହିଛି ଯେ ଆମେରିକା “ଅତ୍ୟଧିକ ଏବଂ ବେଆଇନ” ଅନୁରୋଧରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସୁଦ୍ଧା ସମୁଦ୍ର ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ଜଳପଥ (Strait) ବନ୍ଦ ରହିଛି ଏବଂ ଆମେରିକା ଉପରାଷ୍ଟ୍ରପତି ଖାଲି ହାତରେ ଫେରୁଛନ୍ତି।
ରବିବାର ଦିନ ଉପରାଷ୍ଟ୍ରପତି ଜେଡି ଭେନ୍ସ ସୂଚନା ଦେଇଛନ୍ତି ଯେ, ପଶ୍ଚିମ ଏସିଆ ସଂଘର୍ଷକୁ ରୋକିବା ପାଇଁ ହୋଇଥିବା ଏହି ପ୍ରୟାସ ସଫଳ ହୋଇପାରିଲା ନାହିଁ। ଗତ ୨୧ ଘଣ୍ଟା ଧରି କ୍ରମାଗତ ଭାବେ ଆଲୋଚନା କରୁଥିଲୁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା, ଯାହା ଏକ ଭଲ ଖବର। କିନ୍ତୁ ଖରାପ ଖବର ଏହା ଯେ, ଆମେ କୌଣସି ଚୁକ୍ତିରେ ପହଞ୍ଚି ପାରିଲୁ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଭେନ୍ସ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ନିଜର ’ରେଡ ଲାଇନ’ (Red Line) ବା ସୀମା ନିର୍ଦ୍ଧାରଣ କରିସାରିଥିଲା, କିନ୍ତୁ ଇରାନର ପ୍ରତିନିଧି ଦଳ ସେହି ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ନାହିଁ।
ଶନିବାର ଦିନ ଉଭୟ ପକ୍ଷ ଇସଲାମାବାଦରେ ପହଞ୍ଚିଥିଲେ। ଏହି ବାର୍ତ୍ତାରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନେ ଯେମିତିକି ଆମେରିକା ପକ୍ଷରୁ ଉପରାଷ୍ଟ୍ରପତି ଜେଡି ଭେନ୍ସ, ସ୍ବତନ୍ତ୍ର ଦୂତ ଷ୍ଟିଭ ୱିଟକଫ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନର୍ ପ୍ରମୁଖ ସାମିଲ ଥିବା ବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବାଘେର ଘାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି।
ସୂଚନାଯୋଗ୍ୟ, ମାତ୍ର ଚାରି ଦିନ ପୂର୍ବରୁ ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ହୋଇଥିଲା। କିନ୍ତୁ ଏହି ଶାନ୍ତି ବାର୍ତ୍ତା ବିଫଳ ହେବା ପରେ ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବଢିବା ଆଶଙ୍କା କରାଯାଉଛି।