ଓ୍ବାଶିଂଟନ୍,୧୪ା୩:ଇରାନ୍ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍ଲାମିକ୍ ରିଭୋଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା ୧୦ ନିୟୁତ ଡଲାର (ପ୍ରାୟ ୯୨,୪୭,୪୮,୦୦୦ ଟଙ୍କା) ପୁରସ୍କାର ଦେବ। ଆମେରିକା ନ୍ୟାୟ ଷ୍ଟେଟ୍ ଡିପାର୍ଟମେଣ୍ଟର ରିଓ୍ବାଡର୍ସ ଫର୍ ଜଷ୍ଟିସ୍ ପ୍ରୋଗ୍ରାମ ଅଧୀନରେ ଏହି ଅର୍ଥରାଶି ପ୍ରଦାନ କରାଯିବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ଏହି ବ୍ୟକ୍ତିମାନେ ଆଇଆର୍ଜିସିର ବିଭିନ୍ନ ତତ୍ତ୍ୱଙ୍କୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିବା ସହ ନିର୍ଦ୍ଦେଶ ଦେଇଥାନ୍ତି, ଯେଉଁମାନେ କି ସାରା ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା, ଆୟୋଜନ ଓ ସମ୍ପାଦନ କରିଥାନ୍ତି ବୋଲି କୂଟନୈତିକ ନିରାପତ୍ତା ସେବା ଅଧୀନରେ ପରିଚାଳିତ ରିଓ୍ବାଡର୍ସ ଫର୍ ଜଷ୍ଟିସ୍ ପ୍ରୋଗ୍ରାମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏଥିରେ ମୋଜତବାଙ୍କ ସହ ସୁପ୍ରିମ ଲିଡରଙ୍କ ଅଫିସ୍ର ଚିଫ୍ ଅଫ୍ ଷ୍ଟାଫ୍ ଅଲୀ ଅସ୍ଘର ହେଜାଜି ଓ ଇରାନ୍ ସିକ୍ୟୁରିଟି ଚିଫ୍ ଅଲୀ ଲାରିଜାନିଙ୍କ ନାମ ଉଲ୍ଲେଖ ରହିଛି। କେତେଜଣ ନେତାଙ୍କ ଫଟୋ ଉପଲବ୍ଧ ନ ଥିବାରୁ ସେମାନଙ୍କ ଫଟୋ ଉକ୍ତ ତାଲିକାରେ ଦିଆଯାଇନାହିଁ। ଏହି ବ୍ୟକ୍ତିମାନଙ୍କ କିମ୍ବା ଆଇଆର୍ଜିସିର ଅନ୍ୟ ପ୍ରମୁଖ ନେତାମାନଙ୍କ ସମ୍ପର୍କରେ କାହା ପାଖରେ ସୂଚନା ଥିଲେ ଟୋର୍ଭିତ୍ତିକ ଟିପ୍ଲାଇନ୍ କିମ୍ବା ସିଗ୍ନାଲ ଜରିଆରେ ତଥ୍ୟ ପ୍ରେରଣ ପାଇଁ ଆହ୍ବାନ ଦିଆଯାଇଛି। ଇରାନ୍ ବିରୋଧୀ ଯୁଦ୍ଧ ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ସେନା ଆଗାମୀ ଦିନରେ ତେହରାନ୍ର ବିଭିନ୍ନ ସ୍ଥାନରେ ଅକ୍ରମଣକୁ ଆହୁରି ତୀବ୍ରତର କରାଯିବ ବୋଲି ଏକ ସାକ୍ଷାତ୍କାରରେ ଚେତାବନୀ ଦେଇଛନ୍ତି। ସାକ୍ଷାତ୍କାର ପରେ ଉକ୍ତ ତାଲିକା ଜାରି କରାଯାଇଥିବାରୁ ଏହା ବିଶେଷ ଗୁରୁତ୍ୱ ବହନ କରେ।