ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି ମ୍ୟାଚ ଜିତି ଅପରାଜେୟ ରହିଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଓପନର୍‌ ଅଭିଷେକ ଶର୍ମାଙ୍କ  ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଲଗାତାର ତିନୋଟି ମ୍ୟାଚ୍‌ରେ ସେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ, ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ନେଟ୍ସରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।
ମ୍ୟାଚ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କ ପ୍ଲେଇଂ-୧୧ରେ ଏଣ୍ଟ୍ରିକୁ ନେଇ ପଚରାଯାଇଥିବା ପ୍ରଶ୍ନର ମଜାଳିଆ ଢଙ୍ଗରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି, “ମୁଁ କାହାକୁ ବାଦ ଦେବି? ଅଭିଷେକ ଶର୍ମା ନା ତିଳକ ବର୍ମା? ଆପଣଙ୍କ କହିବା କଥା କଣ ମୁଁ ତିଳକଙ୍କ ସ୍ଥାନରେ ସଞ୍ଜୁଙ୍କୁ ଖେଳାଇବି?”
ସୂର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି,  ପାୱାରପ୍ଲେରେ ଦଳ ଭଲ ପ୍ରଦର୍ଶନ କରୁଛି ଏବଂ ପ୍ରାୟ ୪୦-୫୦ ରନ ସଂଗ୍ରହ ହେଉଛି।  ଏଠାକାର ପିଚ କିଛିଟା ଭିନ୍ନ ଏବଂ ବଲ ଗ୍ରିପ କରୁଥିବାରୁ ବ୍ୟାଟିଂ କଷ୍ଟକର ହେଉଛି। ଆମେ ସବୁବେଳେ ୨୨୦-୨୫୦ ରନ ଆଶା କରିପାରିବା ନାହିଁ, ପରିସ୍ଥିତି ଅନୁଯାୟୀ ଖେଳିବାକୁ ହେବ।
ତିଲକ ବର୍ମାଙ୍କ ଧୀମା ବ୍ୟାଟିଂ ଏବଂ ଖରାପ ଷ୍ଟ୍ରାଇକ ରେଟ (୧୪୧ ରୁ ୧୨୦ କୁ ଖସିବା)କୁ ନେଇ ସୂର୍ଯ୍ୟକୁମାର କହିଛନ୍ତି ଯେ, ତିଲକ ମ୍ୟାନେଜମେଣ୍ଟର ନିର୍ଦ୍ଦେଶ ଅନୁଯାୟୀ ହିଁ ଖେଳୁଛନ୍ତି। ଯଦି ଶୀଘ୍ର ଦୁଇଟି ଉଇକେଟ ପଡ଼ିଯାଏ, ତେବେ ତାଙ୍କୁ ୧୦ ଓଭର ପର୍ଯ୍ୟନ୍ତ ଇନିଂସ ସମ୍ଭାଳିବାକୁ କୁହାଯାଇଛି। ସେ ନିଜ ପ୍ରଦର୍ଶନରେ ହୁଏତ ଖୁସି ନଥିବେ, କିନ୍ତୁ ନମ୍ବର ୩ ରେ ସେ ଭାରତ ପାଇଁ ଭଲ କାମ କରୁଛନ୍ତି ଏବଂ ଆଗକୁ ଆହୁରି ଭଲ କରିବେ ବୋଲି ମୋର ବିଶ୍ୱାସ ଅଛି।”
ଆଗାମୀ ମ୍ୟାଚ ସୂଚନା:
ପ୍ରତିପକ୍ଷ: ଦକ୍ଷିଣ ଆଫ୍ରିକା
ସ୍ଥାନ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ
ମ୍ୟାଚ୍‌: ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ
Dharitri – Odisha’s No.1 Odia Daily

Share