ଉର୍ଜିତ ପଟେଲ ଏଆଇଆଇବି ଉପାଧ୍ୟକ୍ଷ

ବେଜିଂ,୧୦ା୧: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ ଏସିଆନ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ଭାଇସ୍‌-ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତା ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଗୁରୁଦାୟିତ୍ୱ ତୁଲାଇବେ। ଉକ୍ତ ବହୁପାକ୍ଷିକ ଫଣ୍ଡିଂ ପ୍ରତିଷ୍ଠାନ ପକ୍ଷରୁ ଏନେଇ ରବିବାର ସୂଚନା ଦିଆଯାଇଛି। ଚାଇନା ପରେ ଭାରତ ହେଉଛି ଏଆଇଆଇବିର ଦ୍ୱିତୀୟ ସର୍ବାଧିକ ଭୋଟିଂ ଶେୟାରଧାରୀ ତଥା ପାଣ୍ଠି ଯୋଗାଣକାରୀ ସଦସ୍ୟ। ଚାଇନାର ପୂର୍ବତନ ଅର୍ଥ ଉପମନ୍ତ୍ରୀ ଜିନ୍‌ କିକୁନ୍‌ ଏହାର ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୫ ଜଣ ଉପାଧ୍ୟକ୍ଷ ଅଛନ୍ତି। ବିଦାୟୀ ଭାଇସ୍‌-ପ୍ରେସିଡେଣ୍ଟ ଡି.ଜେ. ପାଣ୍ଡିଆନ୍‌ଙ୍କ ସ୍ଥାନରେ ଉର୍ଜିତଙ୍କୁ ଏହି ନିଯୁକ୍ତି ମିଳିଛି। ଦକ୍ଷିଣ ଏସିଆ, ପାସିଫିକ୍‌ ଆଇଲାଣ୍ଡ୍‌ସ ଏବଂ ଦକ୍ଷିଣ-ପୂର୍ବ ଏସିଆର ସୋଭରିନ୍‌ ଓ ନନ୍‌-ସୋଭରିନ୍‌ ଋଣପ୍ରଦାନ ଦାୟିତ୍ୱରେ ଥିବା ଗୁଜରାଟର ପୂର୍ବତନ ମୁଖ୍ୟ ସଚିବ ଚଳିତ ମାସରେ ଭାରତକୁ ଫେରିବେ। ୨୦୧୬ ସେପ୍ଟେମ୍ବର ୫ରେ ରଘୁରାମ ରାଜନ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଇସ୍ତଫା ଦେବା ପରେ ଉର୍ଜିତ ପଟେଲ ୨୪ତମ ଗଭର୍ନର ଭାବେ ଦାୟିତ୍ୱ ନେଇଥିଲେ। ୨୦୧୮ ଡିସେମ୍ବରରେ ଉର୍ଜିତ ବ୍ୟକ୍ତିଗତ କାରଣ ଦର୍ଶାଇ ହଠାତ୍‌ ଗଭର୍ନର ପଦ ଛାଡ଼ିଥିଲେ। ଉର୍ଜିତ ଏହା ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌), ବୋଷ୍ଟନ୍‌ କନ୍‌ସଲ୍ଟିଂ ଗ୍ରୁପ୍‌ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ। ଭାରତ ୨୮ ପ୍ରକଳ୍ପ ପାଇଁ ୬.୭ ବିଲିୟନ୍‌ ଡଲାର ପାଣ୍ଠି ହାସଲ କରିବା ସହ ଏଆଇଆଇବିର ସବୁଠୁ ବଡ଼ ହିତାଧିକାରୀ ଭାବେ ଉଭା ହୋଇଥିବାବେଳେ ଉର୍ଜିତଙ୍କ ନିଯୁକ୍ତି ବିଶେଷ ଗୁରୁତ୍ୱ ବହନ କରିବ ବୋଲି ଶନିବାର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପାଣ୍ଡିଆନ୍‌ କହିଛନ୍ତି। ଏହାବାଦ୍‌ ଏଆଇଆଇବି ଏବଂ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ମିଳିତ ଭାବେ ଭାରତକୁ କୋଭିଡ୍‌-୧୯ ଭାକ୍ସିନ କିଣିବା ପାଇଁ ୨ ବିଲିୟନ୍‌ ଡଲାର ଋଣ ପ୍ରଦାନ କରିବାକୁ ପ୍ରକ୍ରିୟା ଚଳାଇଛନ୍ତି।