ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଥିବାବେଳେ ଫସଲରେ ରୋଗପୋକ ଉପଦ୍ରବ, ଅଦିନିଆ ବର୍ଷା, କରାମାଡରେ ଫସଲକ୍ଷତି ବିଭିନ୍ନ ସମୟରେ ଚାଷୀଙ୍କ ଆର୍ଥିକ ଓ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥାଏ। ବର୍ତ୍ତମାନ ଜିଲାରେ ଖରିଫ୍‌ ଫସଲ ଚାଲିଥିବାବେଳେ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ଧାନ ଫସଲରେ ବର୍ତ୍ତମାନ ୟୁରିଆ ସାରର ଆବଶ୍ୟକତା ରହିଛି। ମାତ୍ର ଜିଲାରେ ଏହାର କୃତ୍ରିମ ଅଭାବ ଦେଖାଦେଇଛି। ଆବଶ୍ୟକତା ଅନୁସାରେ ଚାଷୀମାନଙ୍କୁ ସେହି ସାର ଯୋଗାଇ ଦିଆଯାଉନାହିଁ। ଅନ୍ୟପକ୍ଷେ ଚଢାଦରରେ ୟୁରିଆ ସାର ବିକ୍ରି କରି କଳାବଜାର କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଖରିଫ ଋତୁରେ ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଧାନଚାଷ ହୋଇଥାଏ। କିନ୍ତୁ ରବି ଋତୁରେ ମୁଖ୍ୟତଃ ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ ଧାନଚାଷ କରନ୍ତି। ସେହିପରି ଯେଉଁଠି ଉଠା ଜଳସେଚନ ପ୍ରକଳ୍ପର ସୁବିଧା ରହିଛି ସେଠାରେ କେବଳ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନ ଚାଷ କରିଥାନ୍ତି। ଏହି ଦୃଷ୍ଟିରୁ ଖରିଫ୍‌ ତୁଳନାରେ ରବି ଫସଲ ପାଇଁ କମ୍‌ ସାର ଆବଶ୍ୟକ ପଡେ। ଏହି କ୍ରମରେ କୃଷି ବିଭାଗର ତଥ୍ୟ ଅନୁସାରେ ବରଗଡ଼ ଜିଲାକୁ ରବି ପାଇଁ ୨୯ହଜାର ୩୦୦ ମେଟ୍ରିକ ଟନ୍‌ ୟୁରିଆ, ୧୧ହଜାର ୬୦୦ ମେଟ୍ରିକ ଟନ୍‌ ଡିଏପି, ୨୭୦୦ ମେଟ୍ରିକ୍‌ ଟନ୍‌ ଏମ୍‌ଓପି, ୧୭ହଜାର ୪୦୦ ମେଟ୍ରିକ୍‌ ଟନ୍‌ ଏନ୍‌ପିକେଏସ୍‌ ଏବଂ ୪୦୦ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ଆବଶ୍ୟକ ପଡିଥାଏ। ଆବଶ୍ୟକତା ଅନୁଯାୟୀ ଜିଲାକୁ ପ୍ରାୟତଃ ସାର ପହଞ୍ଚିଛି। ସରକାରୀ ସହାୟକ ମୂଲ୍ୟରେ ସେହି ସାର ଚାଷୀମାନଙ୍କୁ ଆବଣ୍ଟନ ପାଇଁ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଏବଂ ଲାଇସେନ୍ସପ୍ରାପ୍ତ ସାର ବ୍ୟବସାୟୀଙ୍କୁ ତାହା ପ୍ରଦାନ କରାଯାଇଛି। ଏହାସତ୍ତ୍ବେ ଜିଲାରେ ୟୁରିଆ ସାର ନିଅଣ୍ଟ ଚର୍ଚ୍ଚାର ବିଷୟ ହୋଇଛି। ୟୁରିଆ ସାର ମହଜୁଦ ସତ୍ତ୍ବେ କୃତ୍ରିମ ଅଭାବ ଏବଂ କଳାବଜାର କରାଯାଉଛି ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଛି। ସରକାରୀ ନିର୍ଦ୍ଧାରିତ ଦର ଅନୁଯାୟୀ, ୟୁରିଆ ସାର ପ୍ୟାକେଟ୍‌ ପ୍ରତି ୨୬୬ଟଙ୍କା ୫୦ ପଇସା ଏବଂ ଡିଏପି ସାର ପ୍ୟାକେଟ୍‌ ପ୍ରତି ୧୩୫୦ ଟଙ୍କା ରହିଛି। କେତେକ ଲାଇସେନ୍ସପ୍ରାପ୍ତ ହୋଲସେଲର ଓ ରିଟେଲର ୟୁରିଆ ସାର ୫୦୦ ଟଙ୍କାରୁ ଅଧିକ ଦରରେ ଏବଂ ଡିଏପି ସାର ୧୮୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେଭଳି କଳାବଜାର ଯୋଗୁ ଚାଷୀମାନେ ଶୋଷଣର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କଲେ ଲୋକ ଦେଖାଣିଆ ଧରପଗଡ଼ ହେଉଛି। ସେହିଭଳି କଳାବଜାରରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମିଳିଥିବା ଲାଇସେନ୍ସକୁ ସାମୟିକ ରବ୍ଦ କରାଯାଉଛି। ସେଭଳି କଳାବଜାରରେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଯୋଗୁ ପରବର୍ତ୍ତୀ ସମୟରେ ଜିଲାରେ ସାର କଳାବଜାର ପୁଣି ଜୋର୍‌ ଧରୁଥିବା ଅଭିଯୋଗ ହେଉଛି। ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ବରଗଡ଼ ଜିଲାକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସୁଛି ସତ କିନ୍ତୁ ଏଠାରେ ରହିଥିବା କେତେକ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସରକାରୀ ସହାୟକ ମୂଲ୍ୟରେ ଜିଲାର ଚାଷୀଙ୍କୁ ସାର ଯୋଗାଇ ଦେବା ବଦଳରେ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଚଢାଦରରେ ଚାଲାଣ କରୁଛନ୍ତି। ଅନ୍ୟପକ୍ଷେ ଜିଲାର ଚାଷୀମାନେ ସାର ପାଇଁ ସେମାନଙ୍କ ପାଖକୁ ଗଲେ ୟୁରିଆ ସାର ପ୍ୟାକେଟ୍‌ ପ୍ରତି ୨୬୬ ଟଙ୍କା ୫୦ ପଇସା ପରିବର୍ତ୍ତେ ୪୨୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରୁଛନ୍ତି। ସେହିପରି ପ୍ରାଥମିକ କୃଷି ସମବାୟ ସମିତିରେ କେବଳ ଋଣୀ ଚାଷୀଙ୍କୁ ସାର ଯୋଗାଇ ଦିଇଯାଉଛି। ଅଣଋଣୀ ଚାଷୀମାନଙ୍କୁ ସେଥିରୁ ବଞ୍ଚିତ କରାଯାଉଛି। ଫଳରେ ଜିଲାର ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଛନ୍ତି ଏବଂ ଅଭିଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ ବୋଲି ଚାଷୀନେତା ନେକାଣ୍ଟି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share