ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହେବାର ୨ମାସ ବିତି ଯାଇଛି। କିନ୍ତୁ ଆବଶ୍ୟକ ସମୟରେ ଚାଷୀଙ୍କୁ ୟୁରିଆ ସାର ମିଳୁ ନାହିଁ । ଏହି ସାର ପାଇଁ ଚାଷୀମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଜିଲାରେ ୟୁରିଆ ସାରର ଏଭଳି କୃତ୍ରିମ ଅଭାବକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ବୁଧବାର ସୋହେଲା ବ୍ଲକର ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ସେତେବେଳେ ମୁଖ୍ୟ ଜିଲା କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଇଥିବା କାରଣରୁ ଚାଷୀମାନେ ସେଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଧାରଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଚାଷୀମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଜିଲା କୃଷି ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ ଚାଷୀମାନଙ୍କୁ ସାର ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଅତିରିକ୍ତ ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଚାଷୀମାନେ ଧାରଣାରୁ ଉଠିଥିଲେ।
ସୂଚନା ଅନୁଯାୟୀ, ବରଗଡ଼ ଜିଲାକୁ ୯୫ ଭାଗ ସାର ଆସିଥିଲେ ସୁଦ୍ଧା ତାହା ଚାଷୀମାନଙ୍କୁ ମିଳି ନାହିଁ। ଲାଭଖୋର ବ୍ୟବସାୟୀ ତାହା ଗୋଦାମରେ ଭର୍ତ୍ତି କରି କୃତ୍ରିମ ଅଭାବ ସୃଷ୍ଟି କରି ନାହିଁ ନଥିବା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଧାନ ରୁଆ ସମୟରୁ ଏଭଳି ସାର ସଙ୍କଟ ଦେଖା ଦେଇଥିଲେ ସୁଦ୍ଧା ସମାଧାନର ବାଟ ଫିଟୁ ନଥିବା ଏବଂ ସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ଧାରଣ କରି ବସିଛି। ଯେତିକି ପରିମାଣରେ ସାର ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଯାଉଛି, ସେଥିରୁ କିଛି କିଛି ଚାଷୀ ସାର ପାଉଛନ୍ତି। କିନ୍ତୁ ଯେତିକି ସାର ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନଙ୍କ ପାଖକୁ ଯାଉଛି, ସେହି ସାର ସରକାରୀ ଧାର୍ଯ୍ୟ ଦରରେ ଚାଷୀମାନେ ପାଉ ନାହାନ୍ତି ବୋଲି ଚାଷୀ ସଙ୍ଗଠନ ଜୟକିଷାନ ଆନ୍ଦୋଳନ ତରଫରୁ ଅଭିଯୋଗ କରାଯାଇଛି।
ଏଭଳି ଅଭିଯୋଗ ନେଇ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଏବଂ ଘେଁସ ପ୍ରାଥମିକ କୃଷି ସମବାୟ ସମିତିର ଶତାଧିକ ଚାଷୀ ସାର ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ପାଖକୁ ଯାଇଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ସହିତ ଚାଷୀମାନେ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ପରେ ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ମାଝୀ ତାଙ୍କ କାର୍ଯ୍ୟାଳୟକୁ ସମସ୍ତ ଚାଷୀମାନଙ୍କୁ ଡାକି ଆଲୋଚନା କରିଥିଲେ। ଗୁରୁବାର ସୁଦ୍ଧା ନିଶ୍ଚିତ ଭାବରେ ସାର ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ହର ବଣିଆଁ ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ କେଉଁ ସଂସ୍ଥା କିମ୍ବା କେଉଁ ବ୍ୟବସାୟୀ ପାଖକୁ କେତେ ପରିମାଣର ସାର ଯୋଗାଇ ଦିଆଯାଇଛି, ତାହାକୁ ସାର୍ବଜନୀନ କରାଯାଉ। ଏହା ସାର କଳାବଜାର ରୋକିବାରେ ସହାୟକ ହେବ ବୋଲି ସଙ୍ଗଠନ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। କୃଷି ଅଧିକାରୀ ମଧ୍ୟ ସକାରାତ୍ମକ ଆଲୋଚନା କରି ଆଗାମୀ ଦିନରେ ଏହାକୁ ଗମ୍ଭୀରତାର ସହ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।