ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୩ ଶହ ଉପରେ ରହିଛି। ଏହା ୩୭୯ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୩୨୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ୩ ହଜାର ଉପରେ ରହିଛି। ଏହା ୩ ହଜାର ୧୭୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୭୬ ଥିଲା। ସେହିପରି ୨୪ ଘଣ୍ଟାରେ ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨୨୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୭୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୯ ହଜାର ୭୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୫ ହଜାର ୧୧୯ଜଣ ସୁସ୍ଥ ହୋଇ ସାରିଛନ୍ତି।

କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଅନୁଯାୟୀ, ଏହି ରୋଗ ଅନେକଙ୍କ ପାଇଁ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ବାୟୁ ପ୍ରଦୂଷଣ ଥିବା ବ୍ୟକ୍ତିମାନଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ସହିତ ଜ୍ୱର ସୃଷ୍ଟି ହୋଇଥାଏ।

Share