ଥଇଥାନ ପୂର୍ବରୁ ଉଠାଦୋକାନୀଙ୍କୁ ଉଚ୍ଛେଦ: ଲୋକଙ୍କ ପେଟପାଟଣା ପ୍ରଭାବିତ

ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ଗତ କିଛିଦିନ ହେଲା ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଏଥିରେ ଅଧିକାଂଶ ଠେଲା ଦୋକାନୀ ଏବଂ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି। ରାସ୍ତାପାର୍ଶ୍ୱ ପ୍ରଶସ୍ତୀକରଣ ଏବଂ ଡ୍ରେନ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା କୁହାଯାଉଛି। ମାତ୍ର ଉଚ୍ଛେଦ ପରେ ଅନେକ ଗରିବ ଲୋକଙ୍କ ପେଟପାଟଣା ପ୍ରଭାବିତ ହେଉଛି। ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ୱେ ଜବରଦଖଲରେ ରହିଥିବା ଥିଲାବାଲାଙ୍କ ଘରକୁ ହାତ ପାଉ ନ ଥିବାବେଳେ ଅନ୍ୟପଟେ ଗରିବ ଶ୍ରେଣୀର ଲୋକଙ୍କ ଠେଲା ଦୋକାନକୁ ଉଚ୍ଛେଦ କରାଯିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ବର୍ଗର ଲୋକଙ୍କୁ ଆଗରୁ ଥଇଥାନ ଏବଂ ପରେ ଉଚ୍ଛେଦ କରିବାକୁ ନେଇ ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି। ଶୁକ୍ରବାର ବରଗଡ଼ ଏସ୍‌ପି ଛକଠାରୁ ମିନି ଷ୍ଟାଡ଼ିୟମ, କାଳୀ ମନ୍ଦିର ରାସ୍ତାରେ ବୁଲଡ଼ୋଜର ଲଗାଇ ଉଚ୍ଛେଦ କରାଯାଇଥିଲା। ଏଥିରେ ରାସ୍ତାପାର୍ଶ୍ୱରେ ରହିଥିବା ସେଲୁନ, ହୋଟେଲ, ସିଲେଇ ଦୋକାନ, ପାନ ଦୋକାନ ଆଦି ଧୂଳିସାତ୍‌ ହୋଇ ଯାଇଛି। ନିଜ ଉଠା ଦୋକାନ ହରାଇବା ପରେ ସେମାନେ କିଭଳି ପରିବାର ଗୁଜୁରାଣ ମେଣ୍ଟାଇବେ, ଉଠାଦୋକାନୀଙ୍କୁ ସେହି ଚିନ୍ତା ଘାରିଛି। ଅନ୍ୟପଟେ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହି ଆସିଥିବା ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇ ପାରିନାହିଁ। ଉଚ୍ଛେଦ ସପକ୍ଷରେ ନ୍ୟାୟାଳୟ ବାରମ୍ବାର ରାୟ ଦେଇଛନ୍ତି। କିନ୍ତୁ ବିଭିନ୍ନ ଆଳ ଦେଖାଇ ପୌର ପ୍ରଶାସନ ସମୟ ଗଡ଼ାଇ ଚାଲିବାରୁ ଉଚ୍ଛେଦରେ ପ୍ରଭାବିତ ହେବାକୁ ଥିବା ଲୋକେ ପୁଣି ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ତାହା ନ୍ୟାୟାଳୟରେ ବିଚାରାଧୀନ ରହିଛି ଏବଂ ଥରକୁ ଥର ଶୁଣାଣି ଘୁଞ୍ଚି ଚାଲିଛି।

 

Dharitri – Odisha’s No.1 Odia Daily