UPI ଟ୍ରାଞ୍ଜାକ୍ସନରେ ରେକର୍ଡ: ଗୋଟିଏ ଦିନରେ ୭୫ କୋଟି ଟଙ୍କା କାରବାର, ଅକ୍ଟୋବରରେ ଅତିକ୍ରମ କଲା…

ନୂଆଦିଲ୍ଲୀ,୩।୧୧: ଭାରତରେ ଡିଜିଟାଲ୍ ଅର୍ଥନୀତିର ପରିମାଣ ବଢ଼ିବାରେ ଲାଗିଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବର ୨୦୨୫ରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ କାରବାର ହୋଇଛି।

ଅକ୍ଟୋବରରେ ମୋଟ 20.7 ବିଲିୟନ୍ ଟ୍ରାଞ୍ଜାକ୍ସନ୍ କରାଯାଇଛି, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ଏହି କାରବାରର ମୋଟ ମୂଲ୍ୟ ଥିଲା 27.28 ଲକ୍ଷ କୋଟି ଟଙ୍କା, ଯାହା ମୂଲ୍ୟ ଦୃଷ୍ଟିରୁ ମଧ୍ୟ ଏକ ନୂଆ ଉଚ୍ଚତା। ପାର୍ବଣ ଋତୁରେ (ଦଶହରା ଓ ଦୀପାବଳି) ଗୋଟିଏ ଦିନରେ ସର୍ବାଧିକ 750 ମିଲିୟନ୍ (ପ୍ରାୟ 75 କୋଟି) ଟ୍ରାଞ୍ଜାକ୍ସନ୍ କରାଯାଇଛି।

ଏହି ମାସରେ ପ୍ରତିଦିନ ହାରାହାରି 66.8 କୋଟି ଟ୍ରାଞ୍ଜାକ୍ସନ୍ ହୋଇଛି, ଯାହାର ଦୈନିକ ହାରାହାରି ମୂଲ୍ୟ ଥିଲା 87,993 କୋଟି ଟଙ୍କା। ସେପ୍ଟେମ୍ବର ୨୦୨୫ ତୁଳନାରେ କାରବାର ମୂଲ୍ୟରେ 9.5 ଏବଂ ଅକ୍ଟୋବର ୨୦୨୪ ତୁଳନାରେ 16 ବୃଦ୍ଧି ହୋଇଛି। ବିଶେଷଜ୍ଞଙ୍କ ମତରେ, ଏହି ବୃଦ୍ଧି ଭାରତର ମଜବୁତ ଡିଜିଟାଲ୍ ଭିତ୍ତିଭୂମିକୁ ଦର୍ଶାଉଛି। ସହରରୁ ଗାଁ ପର୍ଯ୍ୟନ୍ତ ସବୁ ସ୍ତରରେ ଲୋକମାନେ ଡିଜିଟାଲ୍ ପେମେଣ୍ଟକୁ ଆପଣାଇ ସାରିଛନ୍ତି।

ବର୍ତ୍ତମାନ ୟୁପିଆଇ 7ଟି ଦେଶ – UAE, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ୍ -ରେ କାର୍ଯ୍ୟ କରୁଛି। ଫ୍ରାନ୍ସରେ ଏହାର ଶୁଭାରମ୍ଭକୁ ୟୁରୋପରେ ଏକ ବଡ଼ ସଫଳତା ବୋଲି ମାନାଯାଉଛି।

 

Dharitri – The Largest & Most Trusted Odia Daily

Share
Tags: UPI