ୟୁପିଏ କ୍ଷମତାକୁ ଆସିଲେ ତୁରନ୍ତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୪।୯: ଐତିହାସିକ ‘ନାରୀଶକ୍ତି ବନ୍ଦନ ଅଧିନିୟମ,୨୦୨୩’ ଲୋକ ସଭାରେ ଏବଂ ରାଜ୍ୟ ସଭାରେ ପାରିତ ହୋଇଛି। ବିରୋଧୀ ଦଳଗୁଡ଼ିକ ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଯାଏ ଅପେକ୍ଷା ନ କରି ଆଗାମୀ ନିର୍ବାଚନଗୁଡ଼ିକରୁ ଏହାକୁ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ। କେତେଜଣ ସଦସ୍ୟ ବିଲ୍‌ ଆଗତ କରାଇବା ସମୟ ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ।
ମହିଳା ସଂରକ୍ଷଣ ଉପରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇସାରିଛି। ତେଣୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ। କିନ୍ତୁ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ବ୍ୟସ୍ତ ଅଛନ୍ତି। ଯଦି ୟୁପିଏ କ୍ଷମତାକୁ ଆସେ ତେବେ ଆମ ସରକାର ତୁରନ୍ତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବେ।
ରାହୁଲ ଗାନ୍ଧୀ ପୁଣିଥରେ ଆଦାନୀ ଏବଂ ମୋଦି ସରକାରଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଦାନୀଙ୍କୁ ସମସ୍ତ ପ୍ରମୁଖ ଶିଳ୍ପ ଦିଆଯାଇଛି। ମୁଦ୍ରାସ୍ଫୀତି ଯୋଗୁ ଦେଶର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି। ରମେଶ ବିଧୁରୀଙ୍କ ବିବୃତ୍ତି ହେଉ କିମ୍ବା ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗ, ଏହି ସବୁ ପ୍ରସଙ୍ଗଗୁଡ଼ିକ ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ ବୋଲି ରାହୁଲ କହିଛନ୍ତି।