ଯୋଗୀଙ୍କ ଶପଥ ଉତ୍ସବରେ ସୋନିଆ-ମୁଲାୟମଙ୍କୁ ନିମନ୍ତ୍ରଣ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଯାଇଥିବା ଜଣାପଡ଼ିଛି। ଯୋଗୀଙ୍କ ୨.୦ ଶପଥ ଗ୍ରହଣ ସମାରୋହରେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏଥିରେ ବିରୋଧୀ ଦଳ ନେତାଙ୍କ ନାମ ସାମିଲ ଥିବା ବେଳେ ଅନେକ ଉଦ୍ଦ୍ୟୋଗପତି ଓ ଫିଲ୍ମର କଳାକାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ତେବେ ଯୋଗୀଙ୍କ ଏହି ତାଲିକାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବିଏସ୍‌ପି ସୁପ୍ରିମୋ ମାୟାବତୀ, ଏସ୍‌ପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଏସ୍‌ପିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସହିତ ଅନେକ ବିରୋଧୀ ଦଳର ନେତାଙ୍କ ନାମ ସାମିଲ ରହିଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ସେମାନଙ୍କ ନିକଟକୁ ଯୋଗୀଙ୍କ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏତଦ୍‌ ବ୍ୟତୀତ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ, ଗୌତମ ଅଡାନୀ, ଆନନ୍ଦ ମହିନ୍ଦ୍ରା ସହିତ ଅନେକ ଉଦ୍ଦ୍ୟୋଗପତିଙ୍କୁ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଭାଜପା ପକ୍ଷରୁ ନିମନ୍ତ୍ରଣ ପଠାଯାଇଛି।