ନୂଆଦିଲ୍ଲୀ,୮।୯: ଉତ୍ତର ପ୍ରଦେଶର ଫାରୁଖାବାଦରେ ୩୩ ବର୍ଷୀୟ ବିବାହିତା ମହିଳା ନିଶା ସିଂହଙ୍କୁ ଦୀପକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସାଙ୍ଗମାନେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଅଗଷ୍ଟ ୬ରେ ଘଟିଥିଲା। ନିଶା ତାଙ୍କ ବାପାଙ୍କ ଘରକୁ ଯାଇଥିବା ବେଳେ ଡାକ୍ତରଙ୍କ ପାଖକୁ ଯାଉଥିବା ସମୟରେ ଦୀପକ ତାଙ୍କୁ ଅଟକାଇଥିଲେ। ଗତ ଦୁଇ ମାସ ଧରି ଦୀପକ ତାଙ୍କୁ କଥା ହେବାକୁ ଚାପ ଦେଉଥିବା ଜଣାପଡ଼ିଛି। ବଚସା ପରେ ଦୀପକ ଓ ତାଙ୍କ ସାଙ୍ଗମାନେ ନିଶାଙ୍କୁ ନିଆଁ ଲଗାଇ ଦେଇଥିଲେ।
ନିଆଁରେ ଜଳୁଥିବା ଅବସ୍ଥାରେ ନିଶା ନିଜ ସ୍କୁଟରରେ ପରିବାର ଡାକ୍ତରଙ୍କ କ୍ଲିନିକରେ ପହଞ୍ଚିଥିଲେ। ସ୍ଥାନୀୟ ହସ୍ପିଟାଲରୁ ତାଙ୍କୁ ଲୋହିଆ ହସ୍ପିଟାଲ ଓ ପରେ ସାଇଫାଇ ହସ୍ପିଟାଲକୁ ରେଫର କରାଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ନିଶାଙ୍କ ବାପା ବଳରାମ ସିଂହ କହିଛନ୍ତି, ନିଶା ଡାକ୍ତରଙ୍କୁ କହିଥିଲେ ଯେ ଦୀପକ ତାଙ୍କୁ ଜାଳି ଦେଇଛି। ନିଶାଙ୍କ ଭଉଣୀ ନୀତୁ ସିଂହ କହିଛନ୍ତି, ଦୀପକ ତାଙ୍କୁ ନିରନ୍ତର ହଇରାଣ କରୁଥିଲେ, କିନ୍ତୁ ନିଶା ଏହା ବିଷୟରେ କାହାକୁ କହି ନ ଥିଲେ।
ପୋଲିସ ଏକ ଏଫଆଇଆର ଦାଖଲ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚାରିଟି ଟିମ ଗଠନ କରିଛି।