ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ପିଲିଭୀତରେ ଏପରି ଏକ ଚମତ୍କାର ହୋଇଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ମହିଳା ଯାହାଙ୍କୁ ଡାକ୍ତରମାନେ ବ୍ରେନ ଡେଡ୍ ଘୋଷଣା କରିଥିଲେ ଏବଂ ଯାହାଙ୍କ ଅନ୍ତିମ ସଂସ୍କାର ପାଇଁ ଘରେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା, ସେ ହଠାତ୍ ଏକ ଆମ୍ବୁଲାନ୍ସରେ ଚେତା ଫେରି ପାଇଲେ। ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଫେବୃଆରୀ ୨୨ ତାରିଖରେ, ପିଲିଭୀତର ଗୋକୁଲପୁରମ କଲୋନୀର ବାସିନ୍ଦା ବିନୀତା ଶୁକ୍ଲା ହଠାତ୍ ତାଙ୍କ ଘରେ ପଡ଼ିଗଲେ। ତାଙ୍କ ପରିବାର ଭୟଭୀତ ହୋଇ ତୁରନ୍ତ ତାଙ୍କୁ ଜିଲା ହସ୍ପିଟାଲକୁ ନେଇଗଲେ। ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ବୋଲି ଘୋଷଣା କରି ଅନ୍ୟ ଏକ ହସ୍ପିଟାଲକୁ ରେଫର କରିଥିଲେ । ପରିବାର ଲୋକେ ପରେ ବିନୀତାଙ୍କୁ ବରେଲିର ଏକ ପ୍ରମୁଖ ଘରୋଇ ହସ୍ପିଟାଲକୁ ନେଇଗଲେ, ଯେଉଁଠାରେ ତାଙ୍କୁ ଦୁଇ ଦିନ ପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରଙ୍କ ଅନୁସାରେ ସେ ଚାଲିପାରୁ ନଥିଲେ, ତାଙ୍କ ହାତଗୋଡ଼ ନିଷ୍କ୍ରିୟ ହୋଇଯାଇଥିଲା । ଡାକ୍ତରମାନେ ପରିବାରକୁ ଜଣାଇଥିଲେ ଯେ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ଏବଂ ଭେଣ୍ଟିଲେଟର କାଢ଼ି ଦେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇପାରେ ।
ଡାକ୍ତରଙ୍କ ବୟାନ ଶୁଣି ପରିବାର ଭାଙ୍ଗି ପଡ଼ିଥିଲା। ଫେବୃଆରୀ ୨୪ତାରିଖରେ ବିନୀତାଙ୍କ ସ୍ୱାମୀ କୁଲଦୀପ ଶୁକ୍ଲା, ତାଙ୍କୁ ଏକ ଆମ୍ବୁଲାନ୍ସରେ ଘରକୁ ଫେରାଇ ଆଣୁଥିଲେ। ଘରେ ଅନ୍ତିମ ସଂସ୍କାର ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା, ଏବଂ ତାଙ୍କ ବିଦାୟ ପାଇଁ ସମ୍ପର୍କୀୟମାନେ ଏକାଠି ହେଉଥିଲେ । ଏହି ସମୟରେ ଆମ୍ବୁଲାନ୍ସରେ,ବିନୀତାଙ୍କ ଶରୀର ହଠାତ୍ ଏକ ଶକ୍ତିଶାଳୀ ଝଟକା ଅନୁଭବ କଲା। ତାଙ୍କ ପରିବାର ଦେଖିଲେ ଯେ ସେ ନିଶ୍ୱାସ ନେବା ଆରମ୍ଭ କରିଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହୋଇ ପରିବାର ତାଙ୍କୁ ତୁରନ୍ତୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ୧୪ ଦିନର ନିରନ୍ତର ଚିକିତ୍ସା ପରେ, ବିନୀତାଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ହୋଇଥିଲା, ଏବଂ ଶେଷରେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ, ମହିଳାଙ୍କ ସୁସ୍ଥତାକୁ ନେଇ ବ୍ୟାପକ ଆଲୋଚନା ହେଉଛି ଏବଂ ଏହାକୁ ଏକ ଚମତ୍କାର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।