ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ ଖୋଳି ପୋତିଦେଲେ। ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ। ଅଭିଯୁକ୍ତ ବଞ୍ଚିବା ପାଇଁ ପୋଲିସ୍କୁ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ।
ସୂଚନା ଅନୁଯାୟୀ ଡିସେମ୍ବର ୨୧ ତାରିଖରେ ଲୁଧିଆନାରେ ଶ୍ରମିକ ଭାବେ କାମ କରୁଥିବା ଅର୍ଜୁନ ଗୋରଖପୁର ସ୍ଥିତ ଘରକୁ ଫେରିଥିଲେ। ସେଠାରେ ସେ ତାଙ୍କ ପତ୍ନୀ ଖୁସ୍ବୁଙ୍କୁ ଲୁଚାଇ ରଖିଥିବା ଏକ ମୋବାଇଲ୍ ବ୍ୟବହାର କରୁଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।
କ୍ରୋଧିତ ହୋଇ ଅର୍ଜୁନ ତାଙ୍କ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଘର ପଛପଟେ ୬ ଫୁଟ୍ ଗଭୀର ଗାତ ଖୋଳି ମୃତଦେହକୁ ଏକ ଖଟ ସହିତ ପୋତି ଦେଇଥିଲେ। ଏହା ପରେ ଅର୍ଜୁନ ତାଙ୍କ ପରିବାରକୁ କହିଥିଲେ ଯେ ଖୁସ୍ବୁ କାହାକୁ ନଜଣାଇ ଘର ଛାଡ଼ି ଚାଲିଯାଇଛନ୍ତି। ଖୋଜାଖୋଜି ପରେ କୌଣସି ଖବର ନମିଳିବାରୁ ଖୁସ୍ବୁଙ୍କ ବାପା ଅର୍ଜୁନଙ୍କ ବିରୋଧରେ ହତ୍ୟା ସନ୍ଦେହ କରି ନିଖୋଜ ଅଭିଯୋଗ କରିଥିଲେ।
ପୋଲିସ୍ ଅର୍ଜୁନଙ୍କୁ ପଚରାଉଚରା କରିବାରୁ ସେ ପ୍ରଥମେ ଖୁସ୍ବୁ ଆତ୍ମହତ୍ୟା କରି ନଦୀରେ ଝାସ ଦେଇଥିବା କହି ବିଭ୍ରାନ୍ତ କରିଥିଲେ। ଦୁଇ ଘଣ୍ଟା ଧରି ନଦୀ କୂଳରେ ଖୋଜାଖୋଜି ବିଫଳ ହେବା ପରେ ଅର୍ଜୁନ ଶେଷରେ ସତ କହିଥିଲେ। ଗୋରଖପୁର ସର୍କଲ ଅଫିସର ଶିଳ୍ପା କୁମାରୀ କହିଛନ୍ତି, ଅଭିଯୁକ୍ତର ସ୍ୱୀକାରୋକ୍ତି ଆଧାରରେ ଘର ପଛପଟ ଗାତରୁ ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସ୍ର ସୂଚନା ଅନୁଯାୟୀ, ଅନ୍ୟ ଜଣଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହରେ ଅଭିଯୁକ୍ତ ସ୍ୱାମୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ସେମାନଙ୍କ ବିବାହକୁ ଦୁଇ ବର୍ଷ ହୋଇଥିଲା ଏବଂ ସେମାନଙ୍କର କୌଣସି ସନ୍ତାନ ନଥିଲେ। ପୀଡ଼ିତାଙ୍କ ସାନ ଭାଇଙ୍କ ଅଭିଯୋଗ କ୍ରମେ ଅର୍ଜୁନଙ୍କୁ ଗିରଫ କରାଯାଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।