ୟୁପିର ମୈନପୁରୀ ଜିଲାରେ ନିଯୁକ୍ତ ବିଦ୍ୟୁତ ବିଭାଗର ଏସ୍ଡିଓ ସୁଖବୀର ସିଂ ସରକାରୀ ଗାଡ଼ିରେ ବିଅର ପିଉଥିବା ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସୋମବାରର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଲଗାତାର ଭାବେ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକେ ଏହି ଭିଡିଓକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ନିଗମ ମ୍ୟାନେଜିଂ ଡାଇରେକ୍ଟର ନୀତୀଶ କୁମାର ଆକ୍ସନ ନେଇ ତାଙ୍କୁ ସସ୍ପେଣ୍ଡ କରିଦେଇଥିଲେ।
ଭାଇରାଲ ଭିଡିଓରେ ସୁଖବୀର ସରକାରୀ ଗାଡ଼ି ପଛ ସିଟ୍ରେ ବସୁଥିବା ନଜର ଆସୁଛି। ତାଙ୍କ ହାତରେ ବିଅର କ୍ୟାନ୍ ଅଛି। ଏଥିସହ ତାଙ୍କ ସହ ଅନ୍ୟଜଣେ ବ୍ୟକ୍ତି ବସିଛନ୍ତି। ଏହି ସମୟରେ ସେ ବିଅର ପିଉଛନ୍ତି ଏବଂ ଅଭଦ୍ର ଭାଷାରେ ହିନ୍ଦୁ ଦେବାଦେବୀଙ୍କ ଲାଗି ଆପତ୍ତିଜନକ ଟିପ୍ପଣୀ କରୁଛନ୍ତି। ତାଙ୍କ ସହ ବସିଥିବା ବ୍ୟକ୍ତିଙ୍କ ମୁହଁ ଭିଡିଓ ନଜର ଆସୁନାହିଁ, ହେଲେ ସେ ଜଣେ ସରକାରୀ ଅଫିସର। ଏହି ଭିଡିଓଟି ଗାଡ଼ି ଚଳାଉଥିବା ବ୍ୟକ୍ତି କରିଛନ୍ତି।
ଭିଡିଓ ଭାଇରାଲ ହେବା ପରେ ମାମଲା ଜିଲାଧିକାରୀ ଅଞ୍ଜନୀ କୁମାର ସିଂଙ୍କ ପାଖରେ ପହଞ୍ଚିଥିଲା। ବୁଧବାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହେଲେ ସୁଖବୀର ଏହାକୁ ଭୁଲ ବୋଲି କୁହାଯିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ତାଙ୍କ ଛବି ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି।