ଅସ୍ବାଭାବିକ ପାଣିପାଗ, ମହୁଲ ଗଛରେ ଧରୁନି ଫୁଲ: ଅଭାବୀ ବିକ୍ରିର ଶିକାର ହେଉଛି ସଂଗ୍ରହକାରୀ

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଆଦିବାସୀ ତଥା ଦୁର୍ଗମ ଅଞ୍ଚଳବାସୀଙ୍କ ଜୀବନଜୀବିକା ସହ ଜଡିତ ଲଘୁ ବନଜାତ ଦ୍ରବ୍ୟ ମହୁଲ ଫୁଲ। ହେଲେ ଅସ୍ବାଭାବିକ ପାଣିପାଗ ଯୋଗୁ ଜିଲାରେ ଆଉ ପୂର୍ବଭଳି ମହୁଲ ଗଛରେ ପର୍ଯ୍ୟାପ୍ତ ଫୁଲ ଧରୁନି। ଫଳରେ କମିଯାଉଛି ମହୁଲ ଫୁଲ ସଂଗ୍ରହ। ଜିଲାରେ ବିଶେଷ କରି ମାର୍ଚ୍ଚରୁ ଏପ୍ରିଲ ମଧ୍ୟଭାଗରେ ତାପମାତ୍ରା ୩୫ରୁ ୪୦ଡିଗ୍ରୀ ଭିତରେ ରହିଥାଏ। ଏହି ସମୟ ହିଁ ପ୍ରକୃଷ୍ଟ ସମୟ। ଏହି ସମୟରେ ମହୁଲ ଫୁଲ ଧରିବା ସହିତ ଝଡ଼ି ତଳେ ପଡ଼ିଥାଏ। ହେଲେ ଏବେ ପାଗରେ ପରିବର୍ତ୍ତନ ଯୋଗୁ ପ୍ରାୟ ୫୦ ପ୍ରତିଶତ ମହୁଲ ଗଛରେ ଫୁଲ ଧରୁ ନାହିଁ। ଯେଉଁ ଗଛରେ ଫୁଲ ଧରୁଛି ତାକୁ ଗୋଟାଳିମାନେ ମାର୍ଚ୍ଚରୁ ଏପ୍ରିଲ ମାସ ଯାଏ ଗୋଟାଇ ଥାଆନ୍ତି। ପରେ ସେମାନେ ଏହାକୁ କେଜି ପ୍ରତି ୧୫ରୁ ୨୦ଟଙ୍କାରେ ଦଲାଲଙ୍କ ହାତରେ ଟେକିଦିଅନ୍ତି। ଏହା ଦ୍ୱାରା ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥାଏ। ପ୍ରତିବର୍ଷ ଏହି ସମସ୍ୟା ସମ୍ପର୍କରେ ଅଭିଯୋଗ ହେଉଥିଲେ ବି ସରକାର ସେମାନଙ୍କ ଦୁଃଖ ଶୁଣୁ ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ସଂଗ୍ରହକାରୀ। ଜିଲାର ଧର୍ମଗଡ଼ ଓ ଭବାନୀପାଟଣା ଉପଖଣ୍ଡରେ ବର୍ଷକୁ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ମହୁଲ ଫୁଲ ସଂଗ୍ରହ ହେଉଥିବା ବେଳେ ଏବେ ଅସ୍ବାଭାବିକ ତଥା ପ୍ରତିକୂଳ ପାଣିପାଗ ସାଙ୍ଗଙ୍କୁ ଅଭାବୀ ବିକ୍ରି ଆଦିବାସୀଙ୍କ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି କରିଛି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 

Share