ଓ୍ବାଶିଂଟନ୍ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର, ତାହା ସମସ୍ତେ ହୃଦୟଙ୍ଗମ କରୁଥିଲେ ହେଁ ବାସ୍ତବ ଭାବେ ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ଦିଗରେ ଖୁବ୍ କମ୍ କାର୍ଯ୍ୟ କରାଯାଉଛି। ଅସନ୍ତୁଳିତ ପରିବେଶ ଏବଂ ଅସମୟରେ ଋତୁ ପରିବର୍ତ୍ତନ କେବଳ ମାନବସମାଜ ପାଇଁ ନୁହେଁ, ବୃକ୍ଷ ଏବଂ ଉଦ୍ଭିଦ ଜଗତ ପାଇଁ ମଧ୍ୟ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଶୀତଋତୁର ଶେଷଭାଗ ଏବଂ ବସନ୍ତର ପ୍ରାରମ୍ଭରେ ଅସ୍ବାଭାବିକ ଗରମ ପଡ଼ିବା ହେତୁ ଏହା ପ୍ରାଣୀ ଏବଂ ଉଦ୍ଭିଦ ଜଗତର ଆଚରଣଗତ ଢାଞ୍ଚାରେ ପରିବର୍ତ୍ତନ ଆଣୁଛି ବୋଲି ଏ ସମ୍ପର୍କରେ ଗବେଷଣା ଜାରି ରଖିଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱସ୍ତରରେ ଚଳିତ ବର୍ଷ ଫେବୃଆରୀ ମାସରେ ସର୍ବାଧିକ ଗରମ ଅନୁଭୂତ ହେବା ସହ ପଞ୍ଚମଥର ପାଇଁ ଏହି ମାସକୁ ସର୍ବାଧିକ ଗ୍ରୀଷ୍ମ ମାସ ଭାବେ ରେକର୍ଡ କରାଯାଇଥିଲା। ଫେବୃଆରୀ ଏବଂ ମାର୍ଚ୍ଚ ମାସର ପ୍ରାରମ୍ଭରେ ଦେଶର ବିଭିନ୍ନ ଭାଗରେ ଅସ୍ବାଭାବିକ ଗରମ ଅନୁଭୂତ ହୋଇଥିବା ରେକର୍ଡ କରାଯାଇଥିଲା। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମାର୍ଚ୍ଚ ପ୍ରାରମ୍ଭରେ ଯେଭଳି ଗରମ ରେକର୍ଡ କରାଯାଇଥିଲା ତାହା ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ। ଅନ୍ୟପକ୍ଷରେ ଏହି ସମୟରେ ହିମାଳୟ ଅଞ୍ଚଳରେ ଯେଭଳି ଶୀତ ଲହରି ଦେଖାଯିବା କଥା ତାହା ଅନୁଭୂତ ହୋଇ ନ ଥିଲା। ଏଭଳି ସ୍ଥିତି ବନ୍ୟପ୍ରାଣୀ ଏବଂ ଉଦ୍ଭିଦ ଜଗତ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ସହିତ ସେମାନେ ଅତ୍ୟନ୍ତ କଠୋର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାଦ୍ୱାରା ସେମାନଙ୍କ ଆଚରଣଗତ ଢାଞ୍ଚାରେ ଯଥେଷ୍ଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି ସମୟରେ ବିଭିନ୍ନ ସ୍ଥାନରେ ସ୍ବାଭାବିକଠାରୁ ୫ରୁ ୧୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଥିବାରୁ ଫୁଲ ଫୁଟିବା, ପ୍ରଜନନ ଏବଂ ପ୍ରବାସନର ପ୍ରାକୃତିକ ଧାରାକୁ ପ୍ରଭାବିତ କରିଛି। ଅସମୟରେ ଋତୁ ପରିବର୍ତ୍ତନର ପ୍ରଭାବକୁ ନେଇ ଗବେଷକମାନେ କଶ୍ମୀର ଉପତ୍ୟକାରେ ଉଦ୍ଭିଦ ଜଗତରେ ଦେଖାଯାଇଥିବା ପରିବର୍ତ୍ତନକୁ ସାମ୍ନାକୁ ଆଣିଛନ୍ତି। ଫେବୃଆରୀରେ କଶ୍ମୀର ଉପତ୍ୟକାର ତାପମାତ୍ରା ଯେତିକି ଅଧିକ ରହିଥିଲା ତାହା ୩୫ ବର୍ଷର ରେକର୍ଡ ଅତିକ୍ରମ କରିଛି। ଏହାଦ୍ୱାରା ଏହି ଅଞ୍ଚଳର ପ୍ରାୟ ୨୦୦ ପ୍ରଜାତିର ଫୁଲ ଆଗରୁ ଫୁଟିଥିଲା। ମହୁମାଛିଙ୍କଠାରୁ ଆରମ୍ଭ କରି ଅନ୍ୟ ପରାଗ ସଙ୍ଗମ ଏହି ସମୟରେ ସକ୍ରିୟ ନ ଥିବାରୁ ପରିବେଶ ସନ୍ତୁଳନ ବ୍ୟାହତ ହେବା ସହିତ ମହୁମାଛିଙ୍କ ବଂଶ ବୃଦ୍ଧି ପାଇଁ ପ୍ରତିକୂଳ ସ୍ଥିତି ସୃଷ୍ଟି ହୋଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭିନ୍ନ ପ୍ରଜାତିର ପକ୍ଷୀ ଅଣ୍ଡା ଦେଇଥାଆନ୍ତି। କିନ୍ତୁ ଅସମୟରେ ଋତୁ ପରିବର୍ତ୍ତନ ସେମାନଙ୍କ ସ୍ବାଭାବିକ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି।