ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ ନେଇ ଗାଡ଼ି ଚାଳକମାନେ ଅସୁରକ୍ଷିତ ମନେକରିଛନ୍ତି। ଏହି କ୍ରମରେ ସେମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ ମଙ୍ଗଳବାର ଓଡ଼ିଶା ମୋଟର ଚାଳକ ସଂଘ, ବରଗଡ଼ ଜିଲା ପକ୍ଷରୁ ଏସ୍ପି ପି.ଏସ୍. ମୀନାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ ରହିଛି, ଗତ କିଛିଦିନ ହେଲା ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ଅସାମାଜିକ ତତ୍ତ୍ୱ ବଢ଼ି ଚାଲିଛି। ଗାଡ଼ି ଚାଳକଙ୍କ ପ୍ରତି ଆକ୍ରମଣ ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ରାସ୍ତାରେ ବିଭିନ୍ନ ସାମଗ୍ରୀ ଏବଂ ଯାତ୍ରୀମାନଙ୍କୁ ନେଇ ଗାଡ଼ି ଚଳାଇବା ଅସୁରକ୍ଷିତ ହୋଇ ପଡୁଛି ବୋଲି ସଂଘ ଅଭିଯୋଗ କରିଛି। ଏହାକୁ ଦୃଷ୍ଟିରେ ରାସ୍ତାରେ ପୋଲିସ ପାଟ୍ରୋଲିଂକୁ ଆହୁରି ଜୋରଦାର କରିବାକୁ ସଂଘ ଦାବି କରିଛନ୍ତି। ସଂଘର ଜିଲା ସଭାପତି ଜିତେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଥିଲେ।