ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ଲଗାତାର ପ୍ରଚଣ୍ଡ ଘଡଘଡି ସାଙ୍ଗକୁ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଥିଲା। ଫଳରେ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପଠାରୁ ପାଖାପାଖି ୧୦୦ ମିଟର ଯାଏ ରାସ୍ତାରେ ୨ ଫୁଟ ଉଚ୍ଚତାରେ ପାଣି ଜମି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ମଧ୍ୟ ବର୍ଷା ପାଣି ପଶିଥିଲା। ଅପରାହ୍ନ ପ୍ରାୟ ସାଢେ ୩ ଟା ସମୟରେ ଆକାଶରେ କଳାମେଘ ଘୋଟି ଆସି ପାଖାପାଖି ୧ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲା।
ପୂର୍ବରୁ ପୁଞ୍ଜିକୟା ଛକ ନିକଟ ଆସିକା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଘରେ ପାଣି ଆସୁଥିଲା। ଯାହାଫଳରେ ସ୍ଥାନୀୟ ଲୋକମାନେ ସେଠାରେ ଏକ କଲଭର୍ଟ ନିର୍ମାଣ କରିବା ପାଇଁ ଆନ୍ଦୋଳନ କରିଥିଲେ । ତେବେ ଦୀର୍ଘଦିନ ଧରି କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିବା ଫଳରେ ବୁଧବାର ବର୍ଷାରେ ରାସ୍ତାରେ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ରାସ୍ତା ଉପରେ ଦୀର୍ଘ ସମୟ ଧରି ବର୍ଷା ଓ ନର୍ଦ୍ଦମା ପାଣି ଜମି ରହିବାରୁ ରାସ୍ତାରେ ଗମନାଗମନ କରିବା ଯାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇଥିଲା। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ବ୍ଳକ କାର୍ଯ୍ୟାଳୟରେ ପାଣି ପଶିବାରୁ କର୍ମଚାରୀ ବୃନ୍ଦ ଏବଂ ବିଭିନ୍ନ କାମ ପାଇଁ କାର୍ଯ୍ୟାଳୟକୁ ଆସିଥିବା ଜନସାଧାରଣଙ୍କୁ ଅବସ୍ଥା ଭୋଗିବାକୁ ପଡିଥିଲା ।