ଏବେ ଟ୍ରମ୍ପଙ୍କ Visa ବୋମା, ରୁଷିଆ-ଇରାନ ସମେତ ଏହି ୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ,୧୪।୧: ଆମେରିକା ସରକାରଙ୍କ ବଡ଼ ପଦକ୍ଷେପ। ରୁଷିଆ-ଇରାନ ସମେତ ୭୫ ଦେଶର ନାଗରିକଙ୍କ ଭିସା ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ଲଗାଗଲା ରୋକ। ଏହି ପଦକ୍ଷେପ ଜାନୁଆରୀ ୨୧, ୨୦୨୬ରୁ ଆରମ୍ଭ ହେବ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ଜାରି ରହିବ। ତେବେ ଆମେରିକାର ଏଭଳି ପଦକ୍ଷେପ ପଛର ମୁଖ୍ୟ କାରଣ ହେଉଛି “ପବ୍ଲିକ ଚାର୍ଜ” (Public Charge) ନିୟମକୁ କଡ଼ାକରି ଲାଗୁ କରିବା ଅର୍ଥାତ ଯେଉଁ ଆବେଦନକାରୀ ମାନଙ୍କର ଆମେରିକାରେ ସରକାରୀ ସହାୟତା (ବେନିଫିଟ୍ସ) ଉପରେ ନିର୍ଭର କରିବାର ସମ୍ଭାବନା ଅଧିକ, ସେମାନଙ୍କୁ ଭିସା ଦେବାକୁ ମନା କରାଯିବ।
  • କେଉଁ ଦେଶଗୁଡ଼ିକ ପ୍ରଭାବିତ ହେବେ?
ଏହି ତାଲିକାରେ ରୁଷିଆ, ଇରାନ, ଆଫଗାନିସ୍ତାନ, ସୋମାଲିଆ, ଇରାକ, ମିଶର, ବ୍ରାଜିଲ, ନାଇଜେରିଆ, ଥାଇଲ୍ୟାଣ୍ଡ, ଯେମେନ ଭଳି ଅନେକ ଦେଶ ଅନ୍ତର୍ଭୁକ୍ତ। ଏହା ଏକ ଅଭ୍ୟନ୍ତରୀଣ ମେମୋ ଅନୁଯାୟୀ ହୋଇଛି, ଯାହା ସମସ୍ତ ଦୂତାବାସକୁ ପଠାଯାଇଛି।ଏହି ପଦକ୍ଷେପରେ ସୋମାଲିଆ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
  • କାହିଁକି ଏହି ନିଷ୍ପତ୍ତି?
ନଭେମ୍ବର ୨୦୨୫ରେ ଷ୍ଟେଟ ଡିପାର୍ଟମେଣ୍ଟ ଏକ କେବଲ୍‌ (ସର୍କୁଲାର୍‌) ଜାରି କରିଥିଲା, ଯେଉଁଥିରେ କନ୍ସୁଲର୍‌ ଅଧିକାରୀମାନଙ୍କୁ ନୂଆ ସ୍କ୍ରିନିଂ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିୟମରେ ଆବେଦନକାରୀଙ୍କର ସ୍ବାସ୍ଥ୍ୟ, ବୟସ, ଇଂରାଜୀ ଦକ୍ଷତା, ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକତା ଆଦି ବିଭିନ୍ନ ଦିଗକୁ ବିଚାର କରାଯିବ। ଯଦି କେହି ବ୍ୟକ୍ତି ଆମେରିକାର ସରକାରୀ ସହାୟତା ଉପରେ ର୍ନିଭର କରିବାର ସମ୍ଭାବନା ଅଧିକ ଦେଖାଯାଏ, ତେବେ ତାଙ୍କୁ ଭିସା ଦେବାକୁ ମନା କରାଯିବ।
ସ୍ଟେଟ ଡିପାର୍ଟମେଣ୍ଟ କହିଛି ଯେ ଏହି ପଦକ୍ଷେପ ଆମେରିକାର ଉଦାରତାର ଦୁରୁପଯୋଗ ରୋକିବା ପାଇଁ ନିଆଯାଇଛି। ଯେଉଁ ଇମିଗ୍ରାଣ୍ଟ୍ସମାନେ ଆମେରିକାର ପବ୍ଲିକ ବେନିଫିଟ୍ସ ଉପରେ ନିର୍ଭର କରିବେ, ସେମାନଙ୍କୁ ଭିସା ଦେବାକୁ ରୋକାଯିବ। ଏହି ରୋକ ଜାରି ରହିବ ଯେପର୍ଯ୍ୟନ୍ତ ଇମିଗ୍ରେସନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ନ ହୋଇଯାଏ।
ଏହି ନିଷ୍ପତ୍ତି ଟ୍ରମ୍ପ ପ୍ରଶାସନର ଇମିଗ୍ରେସନ କଡ଼ାକରଣ ନୀତିର  ଅଂଶ। ଏହା ଜାତୀୟ ସୁରକ୍ଷା ଓ ଆର୍ଥିକ ସ୍ଥିରତା ରକ୍ଷା ପାଇଁ କରାଯାଇଥିବା ବୋଲି କୁହାଯାଉଛି। ପ୍ରଭାବିତ ଦେଶଗୁଡ଼ିକର ନାଗରିକମାନେ ଏବେ ଭିସା ପାଇବାରେ ବହୁତ ଅସୁବିଧାରେ ପଡ଼ିବେ।

Share