ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ

ଇସ୍‌ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ। ଏ ନେଇ ଗ୍ୟାଲ୍‌ଅପ୍‌ ପାକିସ୍ତାନ ସର୍ଭେ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ ଅନୁସାରେ ଇମ୍ରାନଙ୍କୁ ଶାସନରୁ ହଟାଇବା ପଛରେ ଆମେରିକାର ଷଡ଼ଯନ୍ତ୍ର ନ ଥିବା ୬୪ ପ୍ରତିଶତ ପାକିସ୍ତାନୀ ବିଶ୍ୱାସ କରନ୍ତି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ଶାସନରେ ବିଫଳତା ହିଁ ଅନାସ୍ଥା ପ୍ରସ୍ତାବ ପଛର ମୁଖ୍ୟ କାରଣ ବୋଲି ସେମାନେ ମତ ରଖିଛନ୍ତି। ତେବେ ଇମ୍ରାନଙ୍କ ପିଟିଆଇ ସରକାରକୁ ହଟାଇବା ପାଇଁ ଆମେରିକା ଚକ୍ରାନ୍ତ କରିଥିବା ୩୬ ପ୍ରତିଶତ ପାକିସ୍ତାନୀ ବିଶ୍ୱାସ କରନ୍ତି। ଏପ୍ରିଲ ୩ରୁ ୪ ମଧ୍ୟରେ ପ୍ରାୟ ୮୦୦ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା।
ଅନୁସାରେ, ୬୪% ଲୋକ ବିରୋଧୀଙ୍କ ପଦକ୍ଷେପକୁ ସ୍ବାଗତ କରିଥିବାବେଳେ ୩୬% ଇମ୍ରାନଙ୍କ ସପକ୍ଷରେ ରହି ବିରୋଧୀ ଦଳର କାର୍ଯ୍ୟକୁ ସମର୍ଥନ ଦେଇନାହାନ୍ତି। କେବଳ ପଞ୍ଜାବ ଏବଂ ଖାଇବର ପାଖ୍‌ତୁନଖ୍ବା ପ୍ରଦେଶର ଯଥାକ୍ରମେ ୬୨ ଓ ୫୧% ଲୋକ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଇମ୍ରାନ୍‌ଙ୍କ ସରକାରକୁ ଦାୟୀ କରିଛନ୍ତି। ମୋଟ ଉପରେ ୫୪% ପାକିସ୍ତାନୀ ଇମ୍ରାନ୍‌ଙ୍କ ଶାସନ ପ୍ରକ୍ରିୟାକୁ ବିରୋଧ କରୁଥିବାବେଳେ ୪୬% ଲୋକଙ୍କ ସମର୍ଥନ ପିଟିଆଇ ସରକାରଙ୍କ ସହ ରହିଛି। ଅପରପକ୍ଷେ ଇମ୍ରାନଙ୍କ ପୁନଃ ନିର୍ବାଚନ ନିଷ୍ପତ୍ତିକୁ ୬୮%ଙ୍କ ସମର୍ଥନ ମିଳିଛି। ଆମେରିକାର ୭୨% ପାକିସ୍ତାନୀ ଶତ୍ରୁ ବିବେଚନା କରୁଥିବାବେଳେ ମାତ୍ର ୨୮% ବନ୍ଧୁ ରାଷ୍ଟ୍ର ବୋଲି ମନେ କରୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଇମ୍ରାନ୍‌ଙ୍କ ବିରୋଧରେ ବେଆଇନ ଫଣ୍ଡିଂ ମାମଲା

ପିଟିଆଇ ନେତା ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆମେରିକାରେ ବେଆଇନ ଅର୍ଥ କାରବାର ମାମଲା ଚାଲିଥିବା ବିରୋଧୀ ପିଏମ୍‌ଏଲ୍‌-ଏନ୍‌ ନେତା ଏହସାନ୍‌ ଇକ୍‌ବାଲ ଦାବି କରିଛନ୍ତି। ଏହି କାରଣରୁ ଇମ୍ରାନ ଆମେରିକା ବିରୋଧୀ ଆଭିମୁଖ୍ୟ ରଖି ଅନାସ୍ଥା ପ୍ରସ୍ତାବ ବିଦେଶୀ ଶକ୍ତି ପ୍ରାୟୋଜିତ ବୋଲି କହୁଛନ୍ତି। ଏପରିକି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ମିଳିଥିବା ଉପହାରକୁ ଇମ୍ରାନ ବଜାରରେ ବିକ୍ରି କରିଥିବା ମଧ୍ୟ ଇକ୍‌ବାଲ ଅଭିଯୋଗ ଆଣିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଇକ୍‌ବାଲ କହିଛନ୍ତି, ଇମ୍ରାନ୍‌ ଆମେରିକାରେ ବେଆଇନ କାର୍ଯ୍ୟକଳାପ ଏବଂ ପାଣ୍ଠି କାରବାରରେ ଜଡିତ। ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବାକୁ ଯାଉଛି। ସହଯୋଗୀ ମେଣ୍ଟରୁ ଓହରିଯିବା ଏବଂ ଆମେରିକାରେ ତାଙ୍କ ବିରୋଧରେ ତଦନ୍ତ ହେବାକୁ ଯାଉଥିବା ଜାଣିବା ପରେ ହଠାତ୍‌ ଇମ୍ରାନ୍‌ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର କରାଯାଉଥିବାର କାହାଣୀ ରଚିଥିଲେ ବୋଲି ଇକ୍‌ବାଲ କହିଛନ୍ତି।

Share