ଏକତରଫା ଦାଦାଗିରି ବିରୋଧରେ ଏକତ୍ର ହୁଅ: EUରେ ଅପିଲ୍‌ କଲା ଚାଇନା

ବେଜିଂ,୧୧।୪: ଚାଇନା ୟୁରୋପୀୟ ସଂଘ(EU)କୁ ଆମେରିକାର ‘ଏକତରଫା ଦାଦାଗିରି’ ବିରୋଧରେ ଏକାଠି କାମ କରିବାକୁ ଆହ୍ବାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆସୁଥିବା କିଛି ସାମଗ୍ରୀ ଉପରେ ୧୪୫% ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବା ପରେ ଚାଇନା ପକ୍ଷରୁ ଏହି ବିବୃତ୍ତି ଦିଆଯାଇଛି। ଏହାର ଜବାବରେ, ୟୁରୋପୀୟ ସଂଘ ମଧ୍ୟ କିଛି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ବର୍ତ୍ତମାନ ସେମାନେ ୯୦ ଦିନ ପାଇଁ ୨୦% ଟିକସକୁ ସ୍ଥଗିତ ରଖିଛନ୍ତି।
ଚାଇନା ଏହା ମଧ୍ୟ ସ୍ପଷ୍ଟ କରିଛି, ଯଦି ଆମେରିକା ଏପରି ଚିନ୍ତାହୀନ ପଦକ୍ଷେପ ନେବା ଜାରି ରଖେ, ତେବେ ସେ ମଧ୍ୟ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ସ୍ପେନିସ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ସହ ସାକ୍ଷାତ ସମୟରେ ଏହି ନିବେଦନ କରିଥିଲେ। ସି ଜିନପିଙ୍ଗ ୟୁରୋପୀୟ ସଂଘକୁ ଚେତାବନୀ ମଧ୍ୟ ଦେଇଛନ୍ତି, ୱାଶିଂଟନ ଡିସି (ଆମେରିକା) ସହିତ ବଢ଼ୁଥିବା ବାଣିଜ୍ୟ ବିବାଦର ମୁକାବିଲା କରିବା ପାଇଁ ଚାଇନା ସହିତ ମିଶି କାମ କରିବା ଉଚିତ।
ଚାଇନା ରାଷ୍ଟ୍ରପତି କହିଛନ୍ତି, ଚାନା ଏବଂ ୟୁରୋପ ମିଳିତ ଭାବରେ ସେମାନଙ୍କର ଅନ୍ତର୍ଜାତୀୟ ଦାୟିତ୍ୱ ପାଳନ କରିବା ଉଚିତ ଏବଂ ଆମେରିକାର ଏକପାଖିଆ ଧମକପୂର୍ଣ୍ଣ ନୀତିକୁ ମିଳିତ ଭାବରେ ବିରୋଧ କରିବା ଉଚିତ। ତାଙ୍କର ପୂର୍ବ ବକ୍ତବ୍ୟକୁ ଦୋହରାଇ ସେ ଏହା ମଧ୍ୟ କହିଛନ୍ତି, ଏହା କେବଳ ଉଭୟ ପକ୍ଷର ଅଧିକାର ଏବଂ ସ୍ବାର୍ଥକୁ ସୁରକ୍ଷା ଦେବ ନାହିଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନ୍ୟାୟ ଏବଂ ସମାନତାକୁ ମଧ୍ୟ ସୁଦୃଢ଼ କରିବ।

 

Share