ବରଗଡ଼,୩୦।୫ ପ୍ରେମାନନ୍ଦ ଖମାରୀ): ବରଗଡ଼ ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବ ପସରା, ଏକ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆମ୍ବ ଚାଷୀ ମାନଙ୍କୁ କିପରି ଭାବରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଆମ୍ବର ଉଚିତ ମୂଲ୍ୟ ପ୍ରାପ୍ତି ନିମନ୍ତେ ସୁଯୋଗ ଯୋଗାଇଦେବା I ଏହି କ୍ରମରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ବରଗଡ଼ ସହରରେ ଆମ୍ବ ପସରା ଖୋଲା ଯାଇଛି। ଆସନ୍ତା ଜୁନ ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ପସରା ଚାଲିବ।ଏଠାରେ ବିଭିନ୍ନ କିସମର ଆମ୍ବ ଯଥା ଦଶେରି, ଲେଙ୍ଗେଡା, ଅମ୍ବରପଲ୍ଲୀ, ତୋତାପୁରୀ, ମଲ୍ଲୀକା, ବମ୍ବେ ଗ୍ରୀନ, ସୁନ୍ଦରୀ ଆଦି ପ୍ରଦର୍ଶିତ ହେବା ସହିତ ବିକ୍ରି ହେଉଛି। ବିଭିନ୍ନ କିସମ ଆମ୍ବର ଦାମ କିଲୋ ପ୍ରତି ୪୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି I
ଆମ୍ବ ପସରା କାର୍ଯ୍ୟକ୍ରମକୁ ପାରମ୍ପରିକ ରୀତିରେ ବରଗଡ଼ ଉଦ୍ୟାନ ବିଭାଗର ମୁଖ୍ୟ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ ଏବଂ ଚାଷୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଭବିଷ୍ୟତରେ ବିଭିନ୍ନ ସଂସ୍ଥାଗୁଡିକୁ ପରିଦର୍ଶନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ I ଓରମାସର ଉପମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ ଯେ, ଚଳିତବର୍ଷ ୧୦ ମେଟ୍ରିକ ଟନ ଆମ୍ବ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି I ଭବିଷ୍ୟତରେ ଆମ୍ବର ଏକ ଉତ୍ପାଦକ କମ୍ପାନୀ ଗଠନ କରି ବେପାର କରି ଚାଷୀ କିପରି ଲାଭବାନ ହେବେ ତାହା ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓରମାସର ରାମଚନ୍ଦ୍ର ଦାଶ, ସଞ୍ଜୀବ କୁମାର ବସନ୍ତରାୟ ଏବଂ ଶର୍ବାଣୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେଶ ଚନ୍ଦ୍ର ଦାଶ ଉପସ୍ଥିତ ରହି ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I