ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ‘ଫିଜିକ୍ସ ୱାଲା’ (PW) ଫାଉଣ୍ଡେସନ ସହଭାଗିତାରେ ପ୍ରତିବର୍ଷ ୫,୦୦୦ ଆଶାୟୀଙ୍କୁ ମାଗଣା ଅନଲାଇନ କୋଚିଂ ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ସମଗ୍ର ଭାରତରୁ SC, OBC ଏବଂ ‘ପିଏମ କେୟାର୍ସ ଫର ଚିଲଡ୍ରେନ’ ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କୁ ମେଧା ଭିତ୍ତିରେ ଏକ ଉତ୍ସର୍ଗୀକୃତ ଅନଲାଇନ ପୋର୍ଟାଲ ମାଧ୍ୟମରେ ଚୟନ କରାଯିବ।
ଏହି ଯୋଜନା ମାଧ୍ୟମରେ ପରୀକ୍ଷାର୍ଥୀମାନେ ପରୀକ୍ଷା UPSC, SSC, ବ୍ୟାଙ୍କିଙ୍ଗ୍ ପରୀକ୍ଷା ପାଇଁ ପ୍ରଶିକ୍ଷଣ ପାଇପାରିବେ। ଏଥିପାଇଁ ଚୟନ ହୋଇଥିବା ୫,୦୦୦ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଗୁଣାତ୍ମକ ଶିକ୍ଷା ସମ୍ବଳ ଯୋଗାଇ ଦିଆଯିବ। ଯେଉଁଥିରେ ଲାଇଭ୍ ଏବଂ ରେକର୍ଡେଡ୍ କ୍ଲାସ୍, ଟେଷ୍ଟ ସିରିଜ୍ ଓ ପୂର୍ବ ବର୍ଷର ପ୍ରଶ୍ନପତ୍ର, ପାଠ୍ୟ ମେଣ୍ଟରସିପ୍, ଦ୍ୱନ୍ଦ୍ୱ ଦୂର କ୍ଲାସ୍ ଏବଂ ପାଠ୍ୟ ଉପକରଣ ରହିବ।
କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଫେବୃଆରୀ ୩ ତାରିଖରେ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ, ଅନୁସୂଚିତ ଜନଜାତି (ST) ଛାତ୍ରଛାତ୍ରୀଙ୍କ ପାଇଁ ଏପରି କୌଣସି ସ୍ୱତନ୍ତ୍ର ଚୁକ୍ତି ବର୍ତ୍ତମାନ ସୁଦ୍ଧା ହୋଇନାହିଁ।