ପ୍ରଥମଥର ପାଇଁ ରବିବାର ହେବ କେନ୍ଦ୍ର ବଜେଟ୍‌: ବାଚସ୍ପତି ଦେଲେ ସୂଚନା

ନୂଆଦିଲ୍ଲୀ,୧୩ା୧(ପି.ଟି.):ଆଗାମୀ ଫେବୃଆରୀ ୧ ତାରିଖ ରବିବାରରେ ପାର୍ଲାମେଣ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାଧାରଣ ବଜେଟ ଉପସ୍ଥାପନ କରିବେ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସୋମବାର ଘୋଷଣା କରିଛନ୍ତି। ରବିବାର ବଜେଟ ଉପସ୍ଥାପନ କରାଯିବା ଏହା ପ୍ରଥମ ଘଟଣା। ଏହା ସୀତାରାମନଙ୍କ ନବମ ବଜେଟ ଉପସ୍ଥାପନ ହେବ। ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ କରିବା ରେକର୍ଡ ତତ୍କାଳୀନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି।
ପାର୍ଲାମେଣ୍ଟର ବଜେଟ ଅଧିବେଶନ ଜାନୁଆରୀ ୨୮ରେ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ସଦସ୍ୟମାନଙ୍କୁ ଲୋକ ସଭା ଚାମ୍ବରରେ ଉଦ୍‌ବୋଧନ ଦେବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପାର୍ଲାମେଣ୍ଟର ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିପାରନ୍ତି। ବଜେଟ ଅଧିବେଶନର ଜାନୁଆରୀ ୨୮ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ପୂର୍ବରୁ କହିଥିଲେ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ରେ ଶେଷ ହେବାକୁ ଥିବାବେଳେ ମାର୍ଚ୍ଚ ୩ରେ ଦ୍ୱିତୀୟ ଭାଗ ଆରମ୍ଭ ହେବ।

 

Dharitri – Odisha’s No.1 Odia Daily