ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦାର ଶ୍ରୀ ଉଦୟନାଥେଶ୍ବର ଶୈବପୀଠ ପାର୍ଶ୍ୱରେ ଯାଇଥିବା ରାମନଦୀ ଆନିକଟରୁ ଏକ ମୃତଦେହ ମିଳିଛି। ରୁ କେ . ନୂଆଗାଁ ପୋଲିସ ଶନିବାର ଜଣେ ନାଲି ସର୍ଟ ପିନ୍ଧିଥିବା ଅଚିହ୍ନା ବ୍ୟକ୍ତିଙ୍କ ଉଲଗ୍ନ ମୃତଦେହ ଜବତ କରଛି । ତାଙ୍କୁ କେହି ହତ୍ୟା କରିବା ପରେ ନଦୀ ମଧ୍ୟକୁ ଫୋପାଡି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତକ ଜଣକ କେଉଁ ଅଞ୍ଚଳର ଏବଂ ତାଙ୍କ ମୃତଦେହ ନଦୀ ମଧ୍ୟକୁ ଆସିଲା କେମିତି ସେ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ ପାଖାପାଖି ହେବ। ଗଜପତି ଜିଲାର କେଉଁ ଅଞ୍ଚଳରୁ ମୃତଦେହ ଟି ଭାସି ଆସି ରାମ ନଦୀ ଆନିକଟରେ ଲାଗିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶୈବପୀଠର ପରିଚାଳନା କମିଟି ସଭାପତି ବିଶନାଥ ଜାନିଙ୍କ ଏତଲା କ୍ରମେ ଥାନାରେ ଅପମୃତ୍ୟୁ ମାମଲା ନଂ.୧୨/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।