ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ଅଧୀନରେ ରହିଥିବା ବ୍ଲକ ଅଫିସ ରୋଡ଼ରେ ଜବର ଦଖଲ ଉଚ୍ଛେଦ ହୋଇନାହିଁ। ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ସାଙ୍ଗକୁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି। ବ୍ଲକ କାର୍ଯ୍ୟାଳୟକୁ ଜନସାଧାରଣ ଯାତାୟତରେ ଦୈନିକ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ରାସ୍ତାରେ ବାଇକଠାରୁ ଆରମ୍ଭ କରି ଅଟୋ, ଭାରି ଯାନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ହେଉଥିବା କୁହାଯାଉଛି। ଉକ୍ତ ରାସ୍ତାରେ ଏକାଧିକ ହୋଲସେଲ ରାଶନ ଦୋକାନଗୁଡିକ ରହିଥିବାରୁ ଦୋକାନଗୁଡିକ ଖୋଲିବା କ୍ଷଣି ଭିଡ଼ ବଢୁଛି। ତେବେ ଜଣେ ବ୍ୟବସାୟୀ ଗାଡି ପାର୍କିଂକୁ ଅଧିକା ପ୍ରୋତ୍ସାହନ କରୁଥିବା ଅଭିଯୋଗ ହେଉଛି। ଗାଡି ତାଙ୍କ ଦୋକାନ ସମ୍ମୁଖରେ ପାର୍କିଂ କରି ତାଙ୍କଠାରୁ ଜିନିଷ କିଣାବିକା ପାଇଁ ପରାମର୍ଶ ଦେଉଥିବା ଓ ପୋଲିସ ପ୍ରଶାସନ କିମ୍ବା ଆଇନକୁ ତାଙ୍କର ଖାତିର ନ ଥିବା ମଧ୍ୟ ଅଭିଯୋଗ ହୋଇଛି।
୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡି ଚାରିଛକ ଠାରୁ କୋଟଗଡ଼ ବ୍ଲକ ପକାରି ପର୍ଯ୍ୟନ୍ତ ୨୮ କିମି ରାସ୍ତା ସମ୍ପ୍ରସାରଣ କରାଯାଇଛି। ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୨୨ କୋଟି ଟଙ୍କା ଅନୁଦାନ ରହିଥିଲା। ପୂର୍ତ୍ତ ବିଭାଗ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଉଥିବା ବେଳେ ବ୍ଲକ ରାସ୍ତାର ପ୍ରାୟ ୧ କିମି ୫.୫ ମିଟର ଚଉଡାରେ ରାସ୍ତା ସମ୍ପ୍ରସାରଣ କରାଯାଇ ପିଚୁ ପକାଯାଯାଇଛି। ବଳକା ରାସ୍ତାକୁ ୩. ୭୫ ମିଟର ଚଉଡାରେ ପିଚୁ ପକାଯାଇ ସମ୍ପ୍ରସାରଣ କରାଯାଇଛି। ମାତ୍ର ଏହି ବ୍ଲକ ରାସ୍ତାକୁ ଟିକିଏ ଅଧିକା ଓସାରିଆ କରାଯାଇଥିଲେ ସୁଦ୍ଧା ପୁରୁଣା ଡ୍ରେନେଜ୍ ବ୍ୟବସ୍ଥାରେ ଅଟକି ଯାଇଛି। ଏବେ ରାସ୍ତା ସମ୍ପ୍ରସାରଣ କରାଯାଇଥିଲେ ମଧ୍ୟ ଡ୍ରେନର ପୁନଃନିର୍ମାଣ ଓ ଡ୍ରେନ ଉପରେ ଢାଙ୍କୁଣି କିମ୍ବା ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ ଭଳି କାର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ।
ପୂର୍ତ୍ତ ବିଭାଗ ଟ୍ରାଫିକ ସମସ୍ୟା ବୃଦ୍ଧି କରୁଥିବା ବ୍ୟବସାୟୀଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛି। ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଟ୍ରାଫିକ ଓ ଦୁର୍ଘଟଣା ସମସ୍ୟାକୁ ବିଭାଗ ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଏନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଯାହା ଅନୁଦାନ ଆସିଥିଲା ସେଥିରେ କାର୍ଯ୍ୟ ସାରିବାକୁ ବସିଛି । ନୂଆ ଅଟକଳ କରାଯାଇ ସେସବୁ ଯାହା ଚଉଡା ଦରକାର କରାଯିବ ବୋଲି ସେ କହିଛନ୍ତି ।
ଏନେଇ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବେ ସେଠାରର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯାଇଛି ବୋଲି କହିଛନ୍ତି।
ଏନେଇ ତହସିଲଦାର ଧୀରଜ ପାତ୍ର କହିଛନ୍ତି, କିଛିଦିନ ସମୟ ଲାଗିବ ଜବରଦଖଲ ଉଚ୍ଛେଦ କରାଯିବ।
ସୂଚନାଯୋଗ୍ୟ, ଉକ୍ତ ରାସ୍ତାରେ ବ୍ଲକ କାର୍ଯ୍ୟାଳୟ ରହିଥିବାରୁ ଦୈନିକ ଶହଶହ ଲୋକ ଯାତାୟାତ କରୁଥିବା ବେଳେ ଯାତ୍ରୀବାହୀ ବସ, ଟ୍ରକ ଆଦି ଯାତାୟାତ କରୁଛି। ସେହିପରି ଜିଲା ଓ ରାଜ୍ୟର ଉଚ୍ଚ ପଦାଧିକାରୀମାନେ ବହୁ ସମୟରେ ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି ଟ୍ରାଫିକ ସମସ୍ୟାରେ ସେମାନେ ମଧ୍ୟ ଫସୁଥିବା ନଜିର ରହିଛି।
Dharitri – Odisha’s No.1 Odia Daily