ନିର୍ମାଣ ସରିନି, ତରବରିଆ ଉଦ୍‌ଘାଟନ

ନିରାକାରପୁର,୧୧ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ଏହାର ଉଦ୍‌ଘାଟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେଶନ ଲିମିଟେଡ ଦ୍ୱାରା ନୂତନ ଗୃହ ନିର୍ମାଣ କରାଯାଉଛି। ତବେ ଉପର ଘର ଓ ବାହାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ତରବରିଆ ଭାବେ ଗତ ୬ ତାରିଖରେ ଉଦ୍‌ଘାଟନ କରାଯାଇଛି। ଫଳକରେ ପ୍ରଫେସର ଶରତ କୁମାର ସ୍ବାଇଁ, ଷ୍ଟାଫ, ଛାତ୍ରୀଛାତ୍ର, ଆଲୁମନି ମେମ୍ବରଙ୍କ ଉପସ୍ଥିତିରେ ଏହି ନୂତନ ଗୃହକୁ ଖୋର୍ଦ୍ଧା ଉପଜିଲାପାଳ ଉଦ୍‌ଘାଟନ କରିଥିବା ନେଇ ଉଲ୍ଲେଖ ରହିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଶରତ କୁମାର ସ୍ବାଇଁଙ୍କୁ ପଚାରିବାରେ କୁହନ୍ତି, ଗ୍ରାଉଣ୍ଡ ଫ୍ଲୋର କାର୍ଯ୍ୟ ସରିଛି। ଠିକାଦାର ଏହି ନୂତନ ଗୃହ ହ୍ୟାଣ୍ଡଓଭର କରିଦେଇଥିବାରୁ ଉଦ୍‌ଘାଟନ କରାଗଲା ବୋଲି ସଫେଇ ଦେଇଛନ୍ତି।