ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ଉପସଚିବଙ୍କ ଅଚାନକ ଗସ୍ତ

ଗଜପତି,୧୬।୧(ଗିରିଧାରୀ ପରିଛା): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଥିବା ଖାଉଟି କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ ବିଭାଗୀୟ ଉପସଚିବ ମୋନଜ କୁମାର ପଟ୍ଟନାୟକ।
ଅଚାନକ ପରିଦର୍ଶନ ସମୟରେ ଖାଉଟିଙ୍କୁ ଭେଟି ସମସ୍ୟା ପଚାରି ବୁଝିବା ସହ ସୁଲଭମୂଲ୍ୟ ଦୋକାନ ଗୁଡିକର ନିରୀକ୍ଷଣ କରିଥିଲେ। ଉପସଚିବ ପଟ୍ଟନାୟକ ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୧ ଏବଂ ୪ ରେ ଥିବା ଖାଉଟି କେନ୍ଦ୍ରର ପରିଦର୍ଶନ କରି ହିତାଧିକାରୀଙ୍କୁ ସଠିକ ଭାବେ ରାଶନ ସାମଗ୍ରୀ ଦିଆଯାଉଛି କି ନାହିଁ ତାର ତଦାରଖ କରିଥିଲେ ।
ସେହିପରି ହିତାଧିକାରୀଙ୍କୁ ଭେଟି ରାଶନ କାର୍ଡ ଜନିତ ସେବା ପାଉଛନ୍ତି କି ନାହିଁ ସେନେଇ ଆଲୋଚନା କରିଥିଲେ । ଏହି ପରିଦର୍ଶନ ଓ ନିରୀକ୍ଷଣ ସମୟରେ ପଟ୍ଟନାୟକ କୌଣସି ସମସ୍ୟା ନଥିବା ଏବଂ ସଠିକ ଭାବେ ରାଶନ ବିତରଣ କରାଯାଉଥିବାର ଜାଣିବାକୁ ପାଇଥିବା କହିଛନ୍ତି । ଉପସଚିବଙ୍କ ଏହି ଗସ୍ତ ସମୟରେ  ଜିଲା ଯୋଗାଣ ବିଭାଗର ଏସିଏସଓ ସବ୍ୟସାଚି ବସ୍ତିଆ ଓ ପୌରପରିଷଦର ଯୋଗାଣ ଅଧିକାରୀ ରୀତା ବେହେରା ପ୍ରମୁଖ ଉପସ୍ଥିତଥିଲେ ।
Dharitri – Odisha’s No.1 Odia Daily