ଅପ୍ରତ୍ୟାଶିତ ଫଳାଫଳ

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏହି ପୁରାତନ ଜାତୀୟ ଦଳ ଭିତରେ ଜୀବନୀଶକ୍ତି ଭରିଦେଲା ଭଳି ମନେହେଉଛି। କାରଣ କିଛିବର୍ଷ ହେବ ଭାରତୀୟ ଜନତା ପାର୍ଟି (ଭାଜପା) କଳେ ବଳେ କୌଶଳେ ରାଜନୈତିକ ରଣନୀତିରେ ଆଗରେ ରହି ଜାତୀୟ ରାଜନୀତିକୁ ଅକ୍ତିଆର କରିଅସୁଥିଲା। ଏଥିସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଗାନ୍ଧୀ ପରିବାରକୁ ସାଧାରଣରେ ନିନ୍ଦିତ କରିବା ଲାଗି ଫନ୍ଦିଫିକର କରାଯାଉଥିଲା। ସବୁଠାରୁ ଗର୍ହିତ କାର୍ଯ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିକଟରେ ନିଆଯାଇ ତାଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦ କରାଯିବା ସହ ସରକାରୀ ବାସଭବନରୁ ଯେଉଁଭଳି ଭାବେ ତାଙ୍କୁ ବିଦା କରାଗଲା, ତାହା ହୁଏତ ସାଧାରଣ ଭାରତୀୟଙ୍କଠାରେ ଗ୍ରହଣୀୟ ହେଲା ନାହିଁ। ଉଲ୍ଲେଖଯୋଗ୍ୟ ଯେ, ରହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା କର୍ନାଟକର ଯେଉଁସବୁ ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଯାଇଥିଲା, ସେହିସବୁ ସ୍ଥାନରେ କଂଗ୍ରେସ ଜିତିଛି। ଅନ୍ୟପଟେ ଦୀର୍ଘ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ନିର୍ବାଚନ ପ୍ରଚାରରେ ଲିପ୍ତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁସବୁ ବିଧାନସଭା ଆସନରେ ପ୍ରଚାର କଲେ ସେହିସବୁ ଆସନରେ ଭାଜପା ହାରିଲା। ଏପରି କି ବେଙ୍ଗାଲୁରୁ ସହରର ଜୟନଗର ନିର୍ବାଚନମଣ୍ଡଳୀରୁ ମୋଦି ତାଙ୍କର ‘ରୋଡ୍‌ ଶୋ’ ଆରମ୍ଭ କରିଥିବା ସତ୍ତ୍ୱେ ସେଠାରେ ଭାଜପା ପ୍ରାର୍ଥୀ ପରାଜିତ ହେଲେ। ଅନ୍ୟପକ୍ଷରେ କଂଗ୍ରେସ କର୍ନାଟକରେ ନୂଆ ରଣକୌଶଳ ପ୍ରୟୋଗ କଲା। ଆଞ୍ଚଳିକ ନେତା ଓ ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇ ଦଳକୁ ଲଢ଼ିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବା ପରେ କଂଗ୍ରେସ ସେଠାରେ ସଫଳ ହେଲା ବୋଲି କୁହାଯାଉଛି।
୨୦୨୩ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଦେଖିଲେ କଂଗ୍ରେସ ୧୩୬ ଆସନ ଜିତିଥିବା ବେଳେ ଭାଜପା ୬୫ ସିଟ୍‌ ପାଇଛି। ସେଠାରେ ଜେଡିଏସ୍‌ ହାତକୁ ମାତ୍ର ୧୯ଟି ଆସନ ଯାଇଥିବା ବେଳେ ସ୍ବାଧୀନ ୨, କେଆର୍‌ପିପି ଓ ଏସ୍‌କେପି ଗୋଟିଏ ଲେଖାଏ ଆସନ ଜିତିଛନ୍ତି। ଏକ୍‌ଜିଟ ପୋଲଗୁଡ଼ିକ ଅନୁମାନ ଲଗାଇଥିଲେ ଯେ, ଏହି ନିର୍ବାଚନରେ କଂଗ୍ରେସ ସବୁଠାରୁ ଅଧିକ ଆସନ ପାଇଲେ ମଧ୍ୟ ରାଜ୍ୟରେ ଝୁଲା ସରକାର ହୋଇପାରେ। ସେହିପରି ଜେଡିଏସ୍‌ ୨୦୧୮ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ବେଳେ ଯେଉଁ କିଙ୍ଗ୍‌ ମେକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା, ତାହାର ରିପିଟ୍‌ ହୋଇପାରେ ବୋଲି ଆଲୋଚନା ହେଉଥିଲା। ହେଲେ କର୍ନାଟକ ଭୋଟର ଚଳିତ ଥର ଖୁବ୍‌ ନିର୍ଣ୍ଣାୟକ ରାୟ ଦେଇ କଂଗ୍ରେସକୁ ସମର୍ଥନ କରିଛନ୍ତି। ଏଥିରୁ ବୁଝିହେଉଛି ଯେ ପ୍ରତି ପାଞ୍ଚ ବର୍ଷରେ ଥରେ ଭିନ୍ନ ଦଳକୁ ଭୋଟ ଦେଉଥିବା କର୍ନାଟକବାସୀ ଚଳିତ ଥର ବାଇପୋଲାର ବା ଦୁଇ ଦଳ ଯଥା କଂଗ୍ରେସ ଓ ଭାଜପାକୁ ବିଶେଷ ଲକ୍ଷ୍ୟରେ ରଖି ମତଦାନ କରିଛନ୍ତି। ତେବେ ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ଡେରା ପକାଇ ନିର୍ବାଚନ ପ୍ରଚାର କରିଥିଲେ ତାହା ଅତୀତରେ କୌଣସି ପ୍ରଧାନମନ୍ତ୍ରୀ ଗୋଟେ ରାଜ୍ୟ ନିର୍ବାଚନରେ ଏତେ ସମୟ ଦେଇଥିବା ଦେଖାଯାଇ ନ ଥିଲା। ତଥାପି କଂଗ୍ରେସ ସଂଖ୍ୟାର ଅଧା ଭାଜପା ଛୁଇଁପାରିଲା ନାହିଁ। ଏଥିରୁ ଦୁଇଟି କଥା ବୁଝି ହୋଇଯାଉଛି। ପ୍ରଥମଟି ହେଲା ଯେ, ନିଜ ସମର୍ଥକଙ୍କ ବାହାବା ଶୁଣି ହୁଏତ ପ୍ରଧାନମନ୍ତ୍ରୀ ମୋଦି ନିଜର ଶକ୍ତିକୁ ମାପିବାରେ ଅସମର୍ଥ ହେଲେ। ଭାଜପାର ପରାଜୟ ପରେ କୁହାଗଲା ଯେ ଏହା ସ୍ଥାନୀୟ ନେତୃତ୍ୱର ବିଫଳତା। କିନ୍ତୁ ସାଧାରଣରେ ପ୍ରଶ୍ନ ଉଠିବ ଯେ ଯଦି ସ୍ଥାନୀୟ ନେତୃତ୍ୱ ଉପରେ ସବୁ କିଛି ନିର୍ଭର କରୁଥିଲା, ତେବେ ପ୍ରଧାନମନ୍ତ୍ରୀ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଛାଡ଼ି ଦୀର୍ଘ ସମୟ କର୍ନାଟକ ପ୍ରଚାରରେ ମାତିବା ତାଙ୍କ ଦୁର୍ବଳତା ପ୍ରଦର୍ଶନ କଲା। ଅର୍ଥାତ୍‌ ସମ୍ଭବତଃ ମୋଦି ବାସ୍ତବ ଭୋଟରଙ୍କ ମନରେ କେଉଁ ପ୍ରକାରର ଘୃଣା ସୃଷ୍ଟି ହୋଇଛି, ତାହାର ଆଭାସ ପାଇଲେ ନାହିଁ। ସେଥିରୁ ବୁଝିବାକୁ ହେବ ଯେ, ପ୍ରଧାନମନ୍ତ୍ରୀଙ୍କ ପାଖରେ ପ୍ରକୃତ ଖବର ପହଞ୍ଚତ୍ପାରୁ ନାହିଁ। ଯଦି ଖବର ପହଞ୍ଚତ୍ବା ସତ୍ତ୍ୱେ ମୋଦି ଭାବିଲେ ଯେ, ତାଙ୍କ ମୁହଁ ଦେଖି ଲୋକଙ୍କ ହୃଦୟରେ ପରିବର୍ତ୍ତନ ଆସିବ, ତେବେ ତାହା ମଧ୍ୟ ଏକ ଚେଙ୍କ ଦେଇ ଶିକ୍ଷା ମିଳିଲା ଯେ, ସେହି ମୁହଁଦେଖା ସମୟ ଅତିକ୍ରମ ହୋଇଗଲାଣି। ଦୀର୍ଘ ଦଶନ୍ଧି ଧରି ଯେଉଁ ପ୍ରକାରର ଆକ୍ରୋଶମୂଳକ ଏବଂ ଧର୍ମ ଉପରେ ନିର୍ଭର କରି ଭାଜପା ରାଜନୀତି କରିଆସୁଛି, ହୁଏତ ସେଥିରୁ ସାଧାରଣ ଭାରତୀୟ ଭୋଟର ମୁହଁ ମୋଡ଼ିବାକୁ ଆରମ୍ଭ କଲେଣି।
ଦ୍ୱିତୀୟରେ ଅମିତ ଶାହାଙ୍କ କଥା ଦେଖାଯାଉ। ତାଙ୍କ ସମର୍ଥକମାନେ ତାଙ୍କୁ ସବୁଠାରୁ ବୁଦ୍ଧିଆ ଭାଜପାର ଚାଣକ୍ୟ ଭାବେ ମନୋନୀତ କରୁଛନ୍ତି। କର୍ନାଟକ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ଦିନ ପୂର୍ବରୁ ଏକ ଇଂଲିଶ୍‌ ଦୈନିକକୁ ସାକ୍ଷାତ୍‌କାର ଦେଇ ଅମିତ ଶାହା କହିଥିଲେ ଯେ, ଗତାନୁଗତିକ ଢାଞ୍ଚାରେ କର୍ନାଟକ ଫଳାଫଳ ହେବ ନାହିଁ। ଏଭଳି ମନ୍ତବ୍ୟରୁ ବୁଝାପଡୁଥିଲା ଯେ, ଭାଜପାର ବହୁସଂଖ୍ୟାରେ ଏକାକୀ ସରକାର ଗଢ଼ିଲା ଭଳି ଆସନ ମିଳିବ। ତେବେ ବାସ୍ତବରେ ଗତାନୁଗତିକ ଢାଞ୍ଚାରେ ନିର୍ବାଚନ ଫଳାଫଳ ଦେଖିବାକୁ ମିଳିଲା ନାହିଁ। ମଣିପୁର ଭଳି ସମସ୍ୟାକୁ ଅଣଦେଖା କରି ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଚାର ପାଇଁ କର୍ନାଟକ ଛାଡ଼ି ନ ଥିଲେ। ଯଦି ଅମିତ ଶାହା ବାସ୍ତବ କଥା ଜାଣିପାରି ଥାଆନ୍ତେ, ତେବେ ନିଶ୍ଚିତ ଭାବେ ମୋଦିଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ସମୟ ହ୍ରାସ କରାଇ ଥାଆନ୍ତେ। କିନ୍ତୁ ଫଳାଫଳରୁ ସ୍ପଷ୍ଟ ବୁଝାପଡୁଛି ଯେ, ଭାଜପାର ତଥାକଥିତ ଚାଣକ୍ୟଙ୍କୁ ସାଧାରଣ କର୍ନାଟକ ଭୋଟର ବାଉଳା କରାଇଦେଲା। ଏଠାରେ ମନେପଡ଼େ ଓଡ଼ିଶାର ଏକ ସମାନ୍ତରାଳ ରାଜନୈତିକ ଘଟଣା। ସେହି ସମୟରେ କଂଗ୍ରେସ ନେତା ସାଜିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ରୁ ନିର୍ବାଚନ ଲଢ଼ିବାକୁ ମନସ୍ଥ କଲେ। କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବେ ପ୍ରଚାର କରାଇଲା। ଜାନକୀ ବଲ୍ଲଭଙ୍କୁ ଅତି ଚତୁର ଏବଂ ଦକ୍ଷ ବୋଲି ଓଡ଼ିଶାସାରା ଏକ ପ୍ରଚାର କରାଯାଉଥିଲା। ତଥାପି ଆଠଗଡ଼ ନିର୍ବାଚନରେ ଜାନକୀ ବଲ୍ଲଭ ପଟ୍ଟନାୟକ ୪୨ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଥିଲେ। ଜାନକୀଙ୍କର ଯଦି ଲୋକଙ୍କ ସହିତ କୌଣସି ସମ୍ପର୍କ ଥାଆନ୍ତା, ତେବେ ନାମାଙ୍କନପତ୍ର ଦାଖଲ କରିବା ଆଗରୁ ତାଙ୍କ ପରାଜୟ ସମ୍ପର୍କରେ ତାଙ୍କୁ ଆଭାସ ମିଳିଥାନ୍ତା। ବାସ୍ତବ ନେତା ହେଉଛନ୍ତି ସିଏ, ଯିଏ ଲୋକଙ୍କ ମନର କଥା ଜାଣିପାରନ୍ତି। ସେଥିପାଇଁ ଜାନକୀ ବଲ୍ଲଭ ଯେଉଁଭଳି ଭାବେ ଦୀର୍ଘ ସମୟ ଓଡ଼ିଶାର ଶାସନ କରିବା ସତ୍ତ୍ୱେ ଲୋକଙ୍କ ନିକଟତର ହୋଇପାରିଲେ ନାହିଁ, ମୋଦି ଏବଂ ଶାହା ଏକ କଂଗ୍ରେସ ବିରୋଧୀ ହାଓ୍ବାରେ ଜିତିଆସି ନିଜର ବାସ୍ତବ ଭୋଟର ସହିତ ସମ୍ପର୍କକୁ ସୁଦୃଢ଼ କଲେନାହିଁ। ଆସନ୍ତା ୨୦୨୪ ପାର୍ଲାମେଣ୍ଟ ନିର୍ବାଚନରେ ମଧ୍ୟ କର୍ନାଟକ ଭଳି ଏକ ଅପ୍ରତ୍ୟାଶିତ ଫଳାଫଳ ଦେଖିବାକୁ ମିଳିପାରେ।