ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି ପାଇଥିବା ସୋମବାର ପ୍ରକାଶିତ ଏକ ସରକାରୀ ସର୍ଭେରୁ ଜଣାପଡ଼ିଛି। ଗତ ମାସରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବେରୋଜଗାରିରେ ସାମାନ୍ୟ ବୃଦ୍ଧି ଘଟିଥିବା ପିରିଅଡିକ୍‌ ଲେବର ଫୋର୍ସ୍‌ ସର୍ଭେ(ପିଏଲ୍‌ଏଫ୍‌ଏସ୍‌)ରେ କୁହାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କମ୍‌ ଶ୍ରମଶକ୍ତି ଅଂଶଗ୍ରହଣ ହାର(ଏଲ୍‌ଏଫ୍‌ପିଆର୍‌) ଏବଂ ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲ୍ୟୁପିଆର୍‌) ମଧ୍ୟ ତଥ୍ୟରୁ ଜଣାପଡ଼ିଛି। ଏଲ୍‌ଏଫ୍‌ପିଆର୍‌ ଏବଂ ଡବ୍ଲ୍ୟୁପିଆର୍‌ ହ୍ରାସ ପାଉଥିବାବେଳେ ଜାନୁଆରୀରେ ବେରୋଜଗାରି ହାର ବୃଦ୍ଧି ପାଇଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ କହିଛି। ଋତୁକାଳୀନ କାରଣ, ଅମଳ ପରେ ଲୋକଙ୍କ ହାତରେ କାମଧନ୍ଦା ନ ରହିବା ଏବଂ ନିରୁତ୍ସାହିତାର ପ୍ରଭାବ ଯୋଗୁ ନିଯୁକ୍ତି ହାର କମିଥିବା ସର୍ଭେରେ ଉଲ୍ଲେଖ କରାଯାଇଛି। ଶୀତଦିନରେ ଗ୍ରାମାଞ୍ଚଳରେ ନିର୍ମାଣ, କୃଷି ଆନୁଷଙ୍ଗିକ କାର୍ଯ୍ୟ, ପରିବହନ, କ୍ଷୁଦ୍ର ବ୍ୟବସାୟୀ ଇତ୍ୟାଦି ମାନ୍ଦା ପଡ଼ୁଥିବାବେଳେ ସହରାଞ୍ଚଳରେ ସ୍ଥିର ରହିଥାଏ।
ବେରୋଜଗାରି ହାର ଡିସେମ୍ବରରେ ୩.୯ ପ୍ରତିଶତ ଥିବାବେଳେ ଜାନୁଆରୀରେ ଏହା ୪.୨ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ୬.୭ ପ୍ରତିଶତରୁ ୭.୦ ପ୍ରତିଶତକୁ ବଢ଼ିଛି। ତେବେ ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ପୁରୁଷଙ୍କ ମଧ୍ୟରେ ବେରୋଜଗାରି ହାର ଜାନୁଆରୀରେ ସ୍ଥିର ରହିଥିବାବେଳେ ସେହି ବୟସର ମହିଳାମାନଙ୍କ କ୍ଷେତ୍ରରେ ବେରୋଜଗାରି ହାର ଅଧିକ ରହିଛି। ମୋଟାମୋଟି ଭାବେ କମ୍‌ ଶ୍ରମଶକ୍ତି ଅଂଶଗ୍ରହଣ ହାର(ଏଲ୍‌ଏଫ୍‌ପିଆର୍‌) ଗତବର୍ଷ ଡିସେମ୍ବରରେ ୫୬.୧ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫୫.୯ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଏହି ହାର ୫୯.୦%ରୁ ୫୮.୭%କୁ କମିଥିବାବେଳେ ସହରାଞ୍ଚଳରେ ୫୦.୨%ରୁ ୫୦.୩%କୁ ବୃଦ୍ଧି ପାଇଛି। ଜାନୁଆରୀରେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ୩୫.୧% ରହିଛି। ଗ୍ରାମାଞ୍ଚଳରେ ମହିଳା ଏଲ୍‌ଏଫ୍‌ପିଆର୍‌ ୩୯.୭% ଥିବାବେଳେ ସହରାଞ୍ଚଳରେ ୨୫.୫% ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share