ଅତାବିରା, ୮।୫,(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଲାଦେରପାଲି ଛକରେ ଗୁରୁବାର ସକାଳ ପ୍ରାୟ ସାଢେ ୬ ଟାରେ ଏକ ସଡ଼କ ଦୁର୍ଘଟଣାରେ ଜୈନିକ ୧୬ ବର୍ଷୀୟ ନାବାଳକଙ୍କ ଅକାଳ ମୃତ୍ୟୁ ହୋଇଛି l ମୃତ ବାଳକ ଜଣକ ଅତାବିରା ଥାନା ସିଲାଟ ଗ୍ରାମର ମାଆ ନଳିନୀ ମିରିଗ ଓ ବାପା ନବୀନ ମିରିଗଙ୍କ ପୁଅ ରଞ୍ଜିତ ମିରିଗ (୧୬) ବୋଲି ଜଣାପଡିଛି l ରଞ୍ଜିତ ଏକୋଇଶା ପାଇଁ ମାମୁଁ ଘର ସିଂହପାଲିକୁ ଆସିଥିଲେ l
ଘଟଣାରୁ ପ୍ରକାଶ ଯେ, ଅତାବିରା ଥାନା ସିଂହପାଲି ଗ୍ରାମର ଭଗବାନ ମିରିଗଙ୍କ ଝିଅର ଏକୋଇଶାରେ ଯୋଗ ଦେବାପାଇଁ ବୁଧବାର ସିଲାଟ ଗ୍ରାମର ଭଣଜା ରଞ୍ଜିତ ମିରିଗ, ବଲାଙ୍ଗିରର ଶଳା ରାଜା ସତନାମୀ (୧୮) ଆସିଥିଲେ l ଗୁରୁବାର ସକାଳ ୫ ଟାରେ ଭଗବାନଙ୍କ ଶଳା ରାଜା ଜଳଖିଆ କରିବାକୁ ସିଂହପାଲି ଛକକୁ ଯିବାକୁ କହି ୨୦ ଟଙ୍କା ଓ ମୋଟରସାଇକେଲ ମାଗି ବାହାରିଥିଲେ l ଓଡ଼ି ୧୭ଏ ସି/ ୯୭୮୧ ମୋଟରସାଇକେଲ ଯୋଗେ ବାହାରିବା ସମୟରେ ରାଜା ସିଂହପାଲି ଗ୍ରାମର ରଞ୍ଜନ ମେହେର (୧୩) ଓ ସିଲାଟ ଗ୍ରାମର ରଞ୍ଜିତଙ୍କୁ ଗାଡ଼ିରେ ବସାଇ ସିଂହପାଲି ଛକ ବଦଳରେ ସେଠାରୁ ୧୦/୧୨ କିଲୋମିଟର ଦୂର ଲାଦେରପାଲି ଯାଏଁ ପଳାଇ ଆସିଥିଲେ l ଲାଦେରପାଲି ଏଫସିଆଇ ଗୋଦାମ ଆଡୁ ୫୩ ନମ୍ବର ଜାତୀୟ ରାଜପଥର ସମ୍ବଲପୁର – ବରଗଡ଼ ପଟରୁ ଆସି ବରଗଡ଼ – ସମ୍ବଲପୁର ରାସ୍ତାକୁ ପ୍ରବେଶ କରିବା ମାତ୍ରେ ଆସୁଥିବା ଏକ ଟ୍ରକ ମଝିରେ ବାଡେଇ ହୋଇ ଯାଇଥିଲେ l ଫଳରେ ଘଟଣାସ୍ଥଳରେ ଭଗବାନଙ୍କ ଭଣଜା ରଞ୍ଜିତଙ୍କ ମୃତ୍ୟୁ ହୋଇଯାଇଥିଲା l ମୋଟରସାଇକେଲ ଚାଳକ ରାଜା ଓ ରଞ୍ଜନ ସାମାନ୍ୟ ଆହତ ହୋଇଥିଲେ l ଖବର ପାଇ ମୃତକ ରଞ୍ଜିତଙ୍କ ମାଆ ବାପା ଅତାବିରା ଥାନା ଆସି ତାଙ୍କ ପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜାଣି ମାଁ ନଳିନୀ ମିରିଗ ମୂର୍ଚ୍ଛା ହୋଇଯାଇଥିଲେ l ଏନେଇ ଅତାବିରା ଥାନା କେଶ ନମ୍ବର 178/2025 ରେ ଏକ ମାମଲା ରୁଜୁ କରି ମୃତଦେହକୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି ଓ ଏହାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି l