ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ପାଣିରେ ହାତ ଦେବା କଷ୍ଟ ହୋଇପଡ଼ୁଥିବାବେଳେ ଦୈନନ୍ଦିନ ଜୀବନରେ ଚଳଣିରେ ପରିବର୍ତ୍ତନ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ରଖିଛନ୍ତି। ହାତ ଗୋଡ଼ କାଲୁଆ ମାରୁଥିବାରୁ ସନ୍ଧ୍ୟାରୁ ନିଆଁ ଓ ଦିନରେ ଖରା ଭରସା ବୋଲି ସ୍ଥାନୀୟ ବାସିନ୍ଦା ଶୁକଦେବ ପ୍ରଧାନ କହିଛନ୍ତି। ସକାଳୁ ଉଠି ନିୟମିତ ଯୋଗ, ଖେଳକୁଦ, ପ୍ରାତଃଭ୍ରମଣ ଆଦି କରି ଶରୀରକୁ ଫିଟ ରଖିବାକୁ ପଡୁଛି। ସେପଟେ ଗରିବରେଖା ତଳେ ରହିଥିବା ଲୋକ ଦୈନିକ କାମଧନ୍ଦା ଗଲେ ୨ ଓଳି ୨ ମୁଠା ଖାଦ୍ୟ ମିକୁଥିବା ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏବେ କାମଧନ୍ଦା ଯିବା ମୁସ୍କିଲ ହୋଇପଡିଛି। ତେବେ ଦାରିଙ୍ଗବାଡିରେ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ରାତ୍ରୀଯାପନ, ଜଙ୍ଗଲ ଟ୍ରାକିଂ କରି ପର୍ଯ୍ୟଟକ ଦାରିଙ୍ଗବାଡିର ସୁନ୍ଦର ପରିବେଶର ମଜା ନେଉଛନ୍ତି।