ଡାଇବେଟିସ୍‌ ଆଶଙ୍କା ବଢ଼ାଏ ଅସନ୍ତୁଳିତ ଜୀବନଶୈଳୀ: ହୋଇଯାନ୍ତୁ ସଚେତନ

ଆଜିକାଲି ବ୍ୟସ୍ତମୟ ଜୀବନରେ ନିଜର ଜୀବନଶୈଳୀକୁ ସନ୍ତୁଳିତ ରଖିବା ଜରୁରୀ ହୋଇପଡ଼ିଛି। ଯଦି ଦୀର୍ଘ ମାସ ଧରି ଏହା ଅସନ୍ତୁଳିତ ରହିଲା, ତେବେ ତାହା ଡାଇବେଟିସ୍‌ର କାରଣ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ବିଷୟବସ୍ତୁକୁ ନେଇ ସର୍ଭେ କରିବା ସମୟରେ ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ଅସନ୍ତୁଳିତ ଜୀବନଶୈଳୀର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ତା’ସହ ହାର୍ଟ, କଡ୍‌ନୀ ରୋଗ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ବୋଲି ଜାଣିବା ପରେ ତାହାର ଠିକ୍‌ ସମୟରେ ଚିକିତ୍ସା କରାଇବା ସହ କେତେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିଥାଏ। ତେଣୁ ପ୍ରଥମେ ଏହାର କାରଣ ସମ୍ପର୍କରେ ସମସ୍ତେ ଅବଗତ ହେବା ଜରୁରୀ। ସବୁବେଳେ ନିଜର ମାନସିକତାକୁ ସକାରାତ୍ମକ ରଖନ୍ତୁ। କୌଣସି କଥାକୁ ନେଇ ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ। ନିଜର ଖାଦ୍ୟପେୟ ପ୍ରତି ସବୁବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିଦିନ ସକାଳେ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲନ୍ତୁ। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଜୀବନଶୈଳୀ ଅନେକାଂଶରେ ସନ୍ତୁଳିତ ରହିବ।