ଅପମିଶ୍ରିତ, ଭେଜାଲ ଖାଦ୍ୟ ହେଉଛି ପ୍ରସ୍ତୁତ, ଅଭିଯୋଗ କଲେ ଦୋକାନୀ ଦେଉଛନ୍ତି ଏଭଳି ଧମକ

ଗଞ୍ଜାମ,୯।୧(ବିଦ୍ୟାଧର ସାହୁ ): ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ଗଞ୍ଜାମ ସହରରେ ଅପମଶ୍ରିତ, ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ସହର ବଡ଼ ବଜାର ଠାରୁ ଆରମ୍ଭ କରି ସାନ ବଜାର ଓ ଆଖ ପାଖ ଅଞ୍ଚଳରେ ଛତୁ ଫୁଟିବା ଭଳି ହୋଟେଲ ଓ ବିଭିନ୍ନ ଫାଷ୍ଟ ଫୁଡ୍‌ ଦୋକାନ ଗଢି ଉଠିଛି । ଦୋକାନଗୁଡିକରେ ବିଭିନ୍ନ ଅପମିଶ୍ରିତ ଜିନିଷ ତେଲ ଓ ରାସାୟନିକ ରଙ୍ଗ ମିଶ୍ରଣ ସହ ଭେଜାଲ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅଧିକ ସ୍ବାଦିଷ୍ଟ ଓ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଦୋକାନୀମାନେ ଏହିଭଳି କରୁଥିବା ସହରରେ ଚର୍ଚ୍ଚା ହେଉଛି । ଫାଷ୍ଟ ଫୁଡ ଓ ଜଳଖିଆ ଦୋକାନ ଗୁଡିକରେ ତିଆରି ହେବା ପରେ ଖାଦ୍ୟ ସାମଗ୍ରୀକୁ ଘୋଡା ଯାଉନଥିବା ଯୋଗୁ ବିଭିନ୍ନ ସମୟରେ ଉକ୍ତ ଖାଦ୍ୟ ପଦାର୍ଥରେ ମାଛି ବସୁଛନ୍ତି । ଏଥିସହ ରାସ୍ତା କଡ଼ ଉଠା ଦୋକାନୀ ରାସ୍ତା ଦେଇ ଯାଉଥିବା ଗାଡି ଧୂଆଁ ଓ ଧୂଳି ଖାଦ୍ୟରେ ଲାଗୁଛି । ଉକ୍ତ ଖାଦ୍ୟକୁ ଖାଇବା ଦ୍ୱାରା ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଅଳ୍ପ ବୟସରେ ମୃତ୍ୟୁର କାରଣ ବୋଲି ଲୋକେ କୁହାକୁହି ହେଉଛନ୍ତି । ପ୍ରତି ମାସକୁ ଥରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ନିୟମ ଥିଲେ ମଧ୍ୟ ଏଠାକୁ ଖାଦ୍ୟର ମାନ ପରୀକ୍ଷଣ ପାଇଁ କେବେବି ସହରକୁ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ଯାଞ୍ଚ କରାଯାଉନି। ବାରମ୍ବାର ସେହି ତେଲରେ ବିଭିନ୍ନ ଖାଦ୍ୟ ଛଣା ଯାଉଛି। ଶୀତ ଦିନ ହୋଇଥିବା ହେତୁ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ଫାଷ୍ଟ ଫୁଡ ଦୋକାନୀ । ଏଥିପାଇଁ କିଛି ଉଠାଦୋକାନ ଗୁଡିକରେ ଜନଗହଳି ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । କୌଣସି ଲୋକ ଏନେଇ ଅଭିଯୋଗ କଲେ ଇଚ୍ଛା ହେଲେ ଖାଅ ନହେଲେ ଯାଅ କାହାକୁ କହୁଛ କୁହ ବୋଲି ଧମକ ମିଳୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଜିଲା ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗଞ୍ଜାମ ସହର ତଥା ନିକଟବର୍ତ୍ତୀ ଅଞ୍ଚଳ ଯାଇ ଖାଦ୍ୟର ମାନ ଯାଞ୍ଚ କରିବାକୁ ସହରବାସୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Dharitri – The Largest & Most Trusted Odia Daily

Share
Tags: odisha