ମୋହନା,୫।୧୦: ( ମନ୍ମଥ ମିଶ୍ର ) ଲଘୁଚାପ ଜନିତ ପ୍ରବଳ ବର୍ଷା ଉଜାଡି ଦେଲା ପରିବା ଚାଷ। ଏହାକୁ ସହ୍ୟ କରି ନ ପାରି କୀଟନାଶକ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ । ଗାଁର ପରିବା ଚାଷୀ ଲକ୍ଷ୍ମଣ ନାୟକ କୀଟନାଶକ ପିଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ନେବା ବେଳେ ଅଧା ବାଟରେ ତାଙ୍କର ମୃତ ଘଟିଥିବା ଜଣାପଡିଛି। ଲକ୍ଷ୍ମଣ ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଜମିରେ ବନ୍ଧା କୋବି, ଫୁଲକୋବି ଆଦି ପରିବା ଚାଷ କରିବା ସହ ମକା ଚାଷ କରିଥିଲେ । ତେବେ ଗତ ଲଘୁଚାପ ବର୍ଷାରେ ଫସଲ ଧୋଇଯାଇ ନଷ୍ଟ ହୋଇଯାଇଛି l ରବିବାର ସକାଳେ ନିଜ ପୁତୁରା ସହ ଫସଲ ଦେଖିବା ପାଇଁ ଜମିକୁ ଯାଇଥିଲେ ଲକ୍ଷ୍ମଣ। ସେଠାରେ ପହଞ୍ଚି ସେ ଫସଲ ନଷ୍ଟ ହୋଇଥିବା ଦେଖିଥିଲେ। ଏହାପରେ ଘରକୁ ଆସି ଘରେ ଥିବା କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ କହିଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ପରେ ପୋଷ୍ଟ ମଟମ ରିପୋର୍ଟ ଆସିବାପରେ ପ୍ରକୃତ ରହସ୍ୟ ଜଣାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠି କହିଛନ୍ତି।