ଉମରକୋଟ ହାତୀ ଉପଦ୍ରବ: ଚାଷୀଙ୍କ ହଜିଲା ନିଦ

ଉମରକୋଟ,୧।୯: ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛନ୍ତି ଛତିଶଗଡର ହାତୀ। ମକା ଫସଲ ନଷ୍ଟ କରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ପୂର୍ବରୁ ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକ ରେ ଆତଙ୍କ ଖେଳାଉଥିବା ହାତୀଙ୍କ ଟାର୍ଗେଟ ବର୍ତ୍ତମାନ ଉମରକୋଟ ଅଞ୍ଚଳର ମକା ଚାଷ ଉପରେ। ଏଥର ସୀମାନ୍ତ ରାଇଘର ବ୍ଲକ ପାର ହୋଇ ଉମରକୋଟ ଅଞ୍ଚଳକୁ ପହଞ୍ଚି ଯାଇଛନ୍ତି ହାତୀ । ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ରାମପାରଠାରେ ଦେଖାଦେଇଛନ୍ତି ଦୁଇଟି ହାତୀ । ମକା ବାଡ଼ ଭିତରେ ରହି ଚାଷ ନଷ୍ଟ କରୁଛନ୍ତି। ଏହି ହାତୀ ଛତିଶଗଡ଼ ସୀତାନଦୀ ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି। ହାତୀକୁ ଦେଖି ଗ୍ରାମବାସୀ ଆତଙ୍କିତ ହେବା ସହ ବନ ବିଭାଗକୁ ଖବର ଦେଇଛନ୍ତି। ହାତୀ ନିଜର ଗତି ପଥ ନ ବଦଳାଇ ମକା ବାଡରେ ହିଁ ରହୁଛନ୍ତି। ତେବେ ମକା ଫସଲ ସମ୍ପୂର୍ଣ୍ଣ ଉଜୁଡିଯିବାର ଆଶଙ୍କା ପ୍ରକାଶ ପାଇଛି।