ନୂଆଦିଲ୍ଲୀ,୫।୮: ୟୁକ୍ରେନର ପ୍ରଥମ ମହିଳା ଓଲେନା ଭୋଲୋଦିମିରିଭନା ଜେଲେନସ୍କା ଓ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସମେତ ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ରବିବାର ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି ପାଇଁ ଅବତରଣ କରିଥିଲେ। ଏହି ବିମାନ ଜାପାନର ଟୋକିଓ ଅଭିମୁଖେ ଯାଉଥିଲା। ୨୩ ଜଣିଆ ପ୍ରତିନିଧି ଦଳରେ ଜାତିସଂଘରେ ୟୁକ୍ରେନର ସ୍ଥାୟୀ ପ୍ରତିନିଧି ସେର୍ଗି କିସଲିତ୍ସା ଓ ଅର୍ଥନୈତିକ ମନ୍ତ୍ରୀ ଓଲେକ୍ସି ସୋବୋଲେଭ ମଧ୍ୟ ସାମିଲ ଥିଲେ।
ଭାରତର ବୈଦେଶିକ ମନ୍ତ୍ରଣାଳୟ ଅଗଷ୍ଟ ୧ରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିକୁ ପ୍ରତିନିଧି ଦଳ ପାଇଁ ଆବଶ୍ୟକୀୟ ପ୍ରୋଟୋକଲ ଓ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ବିମାନଟି ସକାଳ ପ୍ରାୟ ୬:୩୦ରେ ଜୟପୁରରେ ଅବତରଣ କରିଥିଲା। ପ୍ରତିନିଧି ଦଳ ବିମାନବନ୍ଦରର ଭିଆଇପି ଲାଉଞ୍ଜରେ ଅପେକ୍ଷା କରିଥିଲେ ଏବଂ ସେମାନଙ୍କୁ ଲଘୁ ଜଳଖିଆ ପରିବେଷଣ କରାଯାଇଥିଲା। ଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଜୟପୁରରେ ଉପସ୍ଥିତ ଥିଲେ।
ପ୍ରତିନିଧି ଦଳକୁ ଇମିଗ୍ରେସନ ପ୍ରକ୍ରିୟାରୁ ମୁକ୍ତ ରଖାଯାଇଥିଲା ଏବଂ ସେମାନେ ସକାଳ ୮:୧୫ରେ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ସଫରରେ ଇଉକ୍ରେନ ଜାପାନ ସହ ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋଚନା କରିବ ଏବଂ ରୁଷିଆ ବିରୋଧରେ କଡ଼ା ନିଷେଧାଦେଶ ଓ ଇଉକ୍ରେନର ପୁନର୍ଗଠନ ପାଇଁ ସହାୟତା ଲାଗି ଜାପାନକୁ ଅନୁରୋଧ କରିବ।
ଭାରତ-ୟୁକ୍ରେନ ସମ୍ପର୍କ ମଧ୍ୟରେ ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ୧୯୯୧ ଡିସେମ୍ବରରେ ଭାରତ ୟୁକ୍ରେନକୁ ଏକ ସାର୍ବଭୌମ ଦେଶ ଭାବେ ସ୍ୱୀକୃତି ଦେଇଥିଲା ଏବଂ ୧୯୯୨ ଜାନୁଆରୀରେ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲା।