ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି। ଶାନ୍ତି ଆଲୋଚନା ସକାରାତ୍ମକ ହୋଇଥିବା ନେଇ କୂଟନୀତିଜ୍ଞମାନେ କହୁଥିବାବେଳେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

କୃଷ୍ଣ ସାଗର ଉପକୂଳରେ ଥିବା ଖୋର୍ଲି ରିସର୍ଟ ସହରର ଏକ କାଫେ ଏବଂ ହୋଟେଲ ଉପରେ ୩ଟି ଡ୍ରୋନ୍‌ ମାଡ଼ ହୋଇଥିଲା ବୋଲି ମସ୍କୋ ଦ୍ୱାରା ନିୟୋଜିତ ନେତା ଭ୍ଲାଡିମିର ସାଲ୍‌ଡୋ କହିଛନ୍ତି। ତେବେ ୟୁକ୍ରେନୀୟ ଅଧିକାରୀମାନଙ୍କଠାରୁ କୌଣସି ମତାମତ ମିଳିନାହିଁ। ତେବେ ଆକ୍ରମଣରେ ସମ୍ପୃକ୍ତ ଗୋଟିଏ ଡ୍ରୋନ୍‌ ଖସୁଥିବାର ଭିଡିଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଜାରି କରିଛି।

୩ ଦିନ ପୂର୍ୱରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନ ଆକ୍ରମଣ କରିଥିବା ନେଇ ମସ୍କୋ ଅଭିଯୋଗ କରିଥିବାବେଳେ କିଭ୍‌ ଏହାକୁ ଖଣ୍ଡନ କରିଥିଲା। ନୂଆବର୍ଷ ଅଭିଭାଷଣରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିରି ଜେଲେନ୍‌ସ୍କି କହିଛନ୍ତି, ଶାନ୍ତି ଚୁକ୍ତିନାମାର ୯୦ ପ୍ରତିଶତ ପ୍ରସ୍ତୁତ ହୋଇଛି। ତେବେ ଅବଶିଷ୍ଟ ୧୦ ପ୍ରତିଶତରେ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ସ୍ଥଳ ରହିବ, ଯାହା ଶାନ୍ତି ତଥା ୟୁକ୍ରେନ୍‌ ଓ ୟୁରୋପର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସେ ସତର୍କ କରାଇଦେଇଛନ୍ତି।

Share