UGC ନୂଆ ନିୟମ ୨୦୨୬: କ’ଣ ଏହି ସମାନତା ନିୟମାବଳୀ ଏବଂ କାହିଁକି ହେଉଛି ବିରୋଧ?

ନୂଆଦିଲ୍ଲୀ,୨୭।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ‘ସମାନତା ନିୟମାବଳୀ ୨୦୨୬’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଜାତିଭିତ୍ତିକ ଭେଦଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିୟମ ଜାରି କରିଛନ୍ତି। ତେବେ ଏହି ନିୟମକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଏବଂ କେତେକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି।

କଣ ଏହି ନୂଆ ନିୟମ?
UGC ର ଏହି ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏକ ସମାନ ସୁଯୋଗ କେନ୍ଦ୍ର ଏବଂ ଏକ ଇକ୍ୱିଟି କମିଟି ଗଠନ କରାଯିବ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ଜାତିଭିତ୍ତିକ ଭେଦଭାବ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିବା। SC, ST ଏବଂ OBC ବର୍ଗର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ସୁରକ୍ଷା ଓ ସହାୟତା ପ୍ରଦାନ କରିବା। ୨୪ ଘଣ୍ଟିଆ ହେଲ୍ପଲାଇନ, ଇକ୍ୱିଟି ସ୍କ୍ୱାଡ୍ ଏବଂ ଆମ୍ବାସାଡର ନିଯୁକ୍ତ କରିବା।

କାହିଁକି ହେଉଛି ବିରୋଧ?
‘ସବର୍ଣ୍ଣ ସେନା’ ଏବଂ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ UGC ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ଆନ୍ଦୋଳନକାରୀଙ୍କ ଅନୁସାରେ, ଏହି ନିୟମରେ କେବଳ ସଂରକ୍ଷିତ ବର୍ଗଙ୍କ ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ପାଇଁ କୌଣସି ସ୍ପଷ୍ଟ ନିୟମ ନାହିଁ। ଏହି ନିୟମର ଅପବ୍ୟବହାର କରାଯାଇ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ବୃଦ୍ଧି ପାଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି।ଏହି ନିୟମ ସମାନତା ବଦଳରେ କ୍ୟାମ୍ପସରେ ଜାତିଭିତ୍ତିକ ବିଭାଜନ ଓ ଅଶାନ୍ତି ସୃଷ୍ଟି କରିବ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି।

ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଏହି ନୂଆ ନିୟମକୁ ସମର୍ଥନ ଜଣାଇଛି। ତେବେ ବିବାଦକୁ ନେଇ କହିଛି ଯେ ରୋହିତ ଭେମୁଲା ଏବଂ ପାୟଲ ତଡଭୀଙ୍କ ଭଳି ଛାତ୍ରଛାତ୍ରୀଙ୍କ ବଳିଦାନ ପରେ ଏହି ନିୟମ ଆସିଛି। ତେବେ ନିୟମରେ ରହିଥିବା କେତେକ ଅସ୍ପଷ୍ଟତା ଶିକ୍ଷାନୁଷ୍ଠାନଗୁଡ଼ିକୁ ମନଇଚ୍ଛା କାର୍ଯ୍ୟ କରିବାକୁ ସୁଯୋଗ ଦେଇପାରେ।

ବଢ଼ୁଥିବା ବିରୋଧକୁ ଦେଖି ସରକାର ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ନିୟମରେ ଏକ ନୂତନ ବ୍ୟବସ୍ଥା ଯୋଡ଼ାଯିବ, ଯାହାଦ୍ୱାରା କାହାରି ପ୍ରତି ପାତରଅନ୍ତର ହେବ ନାହିଁ।

Share