ଓପିଟିସିଏଲ୍‌ ସହିତ ୟୁବିଆଇର ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର): ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେଶନ୍‌ ଲିମିଟେଡ୍‌(ଓପିଟିସିଏଲ୍‌) ସୋମବାର ୟୁନିୟନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ୟୁବିଆଇ) ସହିତ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛି। ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓପିଟିସିଏଲ୍‌ ସିଏମ୍‌ଡି ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୁଝାମଣାପତ୍ର ଦ୍ୱାରା ଓପିଟିସିଏଲ୍‌ର ପ୍ରତ୍ୟେକ କର୍ମଚାରୀଙ୍କୁ ସେମାନଙ୍କ କ୍ୟାଡର କିମ୍ବା ପଦବୀ ନିର୍ବିଶେଷରେ ସୁଦୃଢ଼ ଆର୍ଥିକ ନିରାପତ୍ତା ପ୍ରଦାନ କରିବ। ପ୍ରତ୍ୟେକ କର୍ମଚାରୀଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ ଅତିରିକ୍ତ ୨୦ ଲକ୍ଷ ଟଙ୍କାର ଜୀବନ ବୀମା’ ପ୍ରଦାନ କରାଯିବ। ବାର୍ଷିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ହସ୍ପିଟାଲ୍‌ କ୍ୟାଶ୍‌ ସୁବିଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ। କର୍ମଚାରୀମାନେ ସେମାନଙ୍କ ଶୂନ୍ୟ ବାଲାନ୍ସ ସଞ୍ଚୟ ଖାତାରେ ରୁପେ ସିଲେକ୍ଟ ଡେବିଟ୍‌ କାର୍ଡ ମଧ୍ୟ ପାଇବେ। ଏହା ମାଧ୍ୟମରେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଦୁର୍ଘଟଣା ବୀମା କଭରେଜ୍‌ ମିଳିବ। ବାର୍ଷିକ ୭୫,୦୦୦ ହଜାର ଟଙ୍କା ମୂଲ୍ୟର ଲାଇଫଷ୍ଟାଇଲ୍‌ ସୁବିଧା, ଯେପରିକି ମାଗଣା ଏୟାରପୋର୍ଟ ଲାଉଞ୍ଜ୍‌ ଏବଂ ମାଗଣା ବ୍ୟାଙ୍କିଙ୍ଗ୍‌ କାରବାର ଆଦି ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ମିଳିପାରିବ। ସମସ୍ତ ନିୟମିତ କର୍ମଚାରୀଙ୍କ ବ୍ୟତୀତ ୟୁନିୟନ୍‌ ବ୍ୟାଙ୍କରେ ଆକାଉଣ୍ଟ୍‌ ଥିବା ଓପିଟିସିଏଲର ପେନସନଭୋଗୀମାନଙ୍କ ପାଇଁ ମଧ୍ୟ ୟୁନିୟନ୍‌ ସମ୍ମାନ ନାମକ ଅନ୍ୟ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ପ୍ରସ୍ତୁତ କରାଯାଇଛି।