Categories: Home Leftଖେଳ

୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ଇଂଲଣ୍ଡ ନକ୍‌ଆଉଟ୍‌କୁ ଉନ୍ନୀତ

ବୁଏନ୍ସଏୟାର୍ସ, ୨୭ା୫ (ପି.ଟି.): ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ହୋଇ ଉଭା ହୋଇଛି। ଦକ୍ଷିଣ ଆଫ୍ରିକା ଓ ହଣ୍ଡୁରାସ୍‌ ମ୍ୟାଚ ୨-୨ରେ ଡ୍ର’ ରହିବା ଏବଂ ଗାମ୍ବିଆଠାରୁ ୨-୧ ଗୋଲ୍‌ରେ ପରାଜୟ ପରେ ଫ୍ରାନ୍ସ ଅଡୁଆରେ ପଡ଼ିଛି। ଏହି ଫଳାଫଳ ଗ୍ରୁପ୍‌ ‘ଏଫ୍‌’ରେ ପ୍ରଥମ ଦୁଇ ଦଳ ମଧ୍ୟରେ ରହିବା ଫ୍ରାନ୍ସ ପାଇଁ ଅସମ୍ଭବ ହୋଇପଡ଼ିଛି। ଅପରାଜେୟ ଗାମ୍ବିଆ ୬ ପଏଣ୍ଟ ସହ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। ପଛକୁ ପଛ ପରାଜୟ ବରଣ କରିଥିବା ଫ୍ରାନ୍ସ ହଣ୍ଡୁରାସ ବିପକ୍ଷ ଶେଷ ମ୍ୟାଚ ଜିତିବା ନିହାତି ଆବଶ୍ୟକ ହୋଇପଡ଼ିଛି। ଏହାଦ୍ୱାରା ଗ୍ରୁପ୍‌ ପର୍ଯ୍ୟାୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ୪ ମଧ୍ୟରେ ରହି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିବ। ଗ୍ରୁପ୍‌ ‘ଇ’ରେ ଟ୍ୟୁନିସିଆ ୩-୦ ଗୋଲ୍‌ରେ ଇରାକକୁ ପରାସ୍ତ କରି ନକଆଉଟ ପର୍ଯ୍ୟାୟ ପାଇଁ ଦୌଡ଼ରେ ରହିଛି। ଇଂଲଣ୍ଡ ରବିବାର ଏହାର ପରବର୍ତ୍ତୀ ମ୍ୟାଚ ଇରାକ ବିପକ୍ଷରେ ଖେଳିବ। ଗ୍ରୁପ୍‌ର ଶୀର୍ଷ ସ୍ଥାନ ପାଇଁ ଉରୁଗୁଏ ଓ ଟ୍ୟୁନିସିଆ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ଦଳ ୩ ପଏଣ୍ଟ ଲେଖାଏ ହାସଲ କରିଛନ୍ତି। ହେଲେ ଗୋଲ୍‌ ବ୍ୟବଧାନ ଦୃଷ୍ଟିରୁ ଉରୁଗୁଏ ଗୋଟିଏ ଗୋଲ୍‌ରେ ଆଗୁଆ ରହିଛି। ଗ୍ରୁପ୍‌ ‘ଏଫ୍‌’ରେ ହଣ୍ଡୁରାସ ସହ ଡ୍ର ରଖି ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ରବିବାର ଦଳ ଗାମ୍ବିଆ ସହ ମୁକାବିଲା କରିବ।