ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ବେଲପଡା ଥାନା ଖଲିପଥର ଗାଁରେ। ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡ଼ିଛି । ତେବେ ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ଖଲିପଥର ଗାଁର ଦୟାନିଧି ମେହେର ଗାଁରେ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜିରେ ମାଂସ ବାଣ୍ଟୁଥୁଲେ । ଗାଁର ଦୁଇଜଣ ଯୁବକ ଭୋଜି ଖାଉଥିଲେ। ସେମାନେ ଅଧିକ ମାଂସ ମାଗିବାରୁ ଦୟାନିଧି ମନା କରିଦେଇଥିଲେ। ଏହି କଥାକୁ ନେଇ ଯୁବକଦ୍ୱୟ ଦୟାନିଧିଙ୍କ ଘରେ ଥିବା ଚାରିଚକିଆ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁରେ ଗାଡିଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଗାଡିଟିକୁ ଜଳୁଥିବା ଦେଖି କିଛି ଲୋକ ନିଆଁ ଲିଭାଇଥିଲେ। ଏନେଇ ଦୟାନିଧି ବେଲପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗାଁର ୨ ଜଣ ଯୁବକଙ୍କୁ ଗିରଫ କରିଛ। ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।