ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି  ବିଜୟ କୁମାର ମିଶ୍ର  ସୋମବାର ଏକ  ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ତେଲକୋଇ ଥାନା ଅନ୍ତର୍ଗତ ଭିମକାଣ୍ତ ଗ୍ରାମର ଅଭିଯୁକ୍ତ ଅଭିମନ୍ୟୁ ପାତ୍ର(୨୩)ଙ୍କୁ ଦୁଇବର୍ଷ ସଶ୍ରମକାରାଦଣ୍ତ ସହ ୧ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ମାସ ସଶ୍ରମ କାରାଦଣ୍ତ ରାୟ ଶୁଣାଇଛନ୍ତି।
୨୦୨୨ ଜାନୁଆରୀ ୫ରେ ୧୬ବର୍ଷିୟା ନାବାଳିକା କଲେଜ ଯିବା ସମୟରେ ଅଭିମନ୍ୟୁ ତାଙ୍କୁ ଅପହରଣ କରି କଟକ ଜିଲା ଘଣ୍ଟିଖାଲ ଏକ ଭଡା ଘରେ ରଖିଥିଲେ। ପରିବାର ପକ୍ଷରୁ ଝିଅକୁ ବହୁ ଖୋଜାଖୋଜି ପରେ ତାଙ୍କର କୈାଣସି ସନ୍ଧାନ ନ ମିଳିବାରୁ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଣ୍ଟିଖାଲରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପୋରକ୍ତ ଦଣ୍ତାଦେଶ ଶୁଣାଇଥିଲେ।ସରକାର ଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।