ବୈଶିଙ୍ଗା,୨୪।୬(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅର୍ନ୍ତଗତ ହାତୀପତୁକା ଓ ପାଟଳୀପୁରା ଗ୍ରାମରେ ଲାଗିଥିବା ଦୁଇଟି ୧୬ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗୋଟିଏ ରାତିରେ ଚୋରି ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ମୁତାବକ, ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାରେ ଦିନରାତି ଯାନବାହାନ ଚଳାଚଳ ଲାଗି ରହିଥାଏ। ଏହା ସତ୍ତ୍ୱେ ସୋମବାର ବିଳମ୍ବିତ ରାତିରେ ହାତୀପତୁକା ଗ୍ରାମର ପଞ୍ଚପଲ୍ଲୀ ଉଚ୍ଚ ବିଦ୍ୟାଳୟର ଅନତି ଦୂରରେ ଲାଗିଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ବେଳେ ପାଟଳୀପୁରା ଗ୍ରାମ ନିକଟରେ ଲଗିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ କେତେକ ଦୁର୍ବୃତ୍ତ ଚେକି ନେଇଥିବା ଜଣାପଡ଼ିଛି।
ଏନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବାରିଣୀ ଦାସ ପ୍ରକାଶ କରିଛନ୍ତି।
ଟ୍ରାନ୍ସଫର୍ମର ଚୋରି ପରେ ଦୁଇ ଗାଁରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ସହ ଗାଁ ଅନ୍ଧାର ହୋଇଯାଇଛି। ଅନ୍ୟପକ୍ଷେ ଗାଁରେ କରେଣ୍ଟ ନ ଥିବାରୁ ପ୍ରବଳ ଗୁଳୁଗୁଳି ଯୋଗୁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଉପଭୋକ୍ତା। ଠିକ୍ ସମୟରେ ବିଦ୍ୟୁତ୍ ବିଲ ପଇଠ କରି ଅନ୍ଧାରରେ ରହିବାକୁ ପଡୁଛି ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେବେ ରାତି ଶୁଦ୍ଧା ଦୁଇ ଗାଁରେ ନୂଆ ଟ୍ରାନ୍ସଫର୍ମର ଲାଗାଇବା ୟ ପାଇଁ ଚେଷ୍ଟା ଚାଲିଛି ବୋଲି ଟାଟା ପାୱାର ଅଧିକାରୀ ଇଞ୍ଜିନିୟର ପ୍ରଶାନ୍ତ ନାୟକ ପ୍ରକାଶ କରିଛନ୍ତି।