ଦେବଗଡ,୧୩।୧୦(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଜନ୍ତୁ ଶିକାର ନିମନ୍ତେ ବିଛାଯାଇଥିବା ବିଦ୍ୟୁତ ଫାଶ ଠାବ କରିବା ସହିତ ୨ ଜଣ ଶିକାରୀଙ୍କୁ ଗିରଫ କରି ବନବିଭାଗ କୋର୍ଟଚାଲାଣ କରିଛି । ରିଆମାଳ ବନାଂଚଳ କୁଣ୍ଢେଇଗୋଳା ସେକ୍ସନ ବୁଢାପାଲ ବିଟ ଅନ୍ତର୍ଗତ କପାଗୋଳା ଗ୍ରାମ ନିକଟ ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର ନିମନ୍ତେ ବେଆଇନ ଭାବେ ହୁକିଂ କରି ବିଦ୍ୟୁତ ଫାଶ ପକାଯାଇଥିଲା । ବନବିଭାଗ କର୍ମଚାରୀ ଶନିବାର ରାତି ପ୍ରାୟ ୩ ଟାରେ ପେଟ୍ରୋଲିଂ କରୁଥିବା ବେଳେ ବେଆଇନ ବିଦ୍ୟୁତ ଫାଶ ଠାବ କରିବା ସହିତ ଘଟଣାସ୍ଥଳରୁ ୨ ଜଣ ଶିକାରୀଙ୍କୁ ଗିରଫ କରିଥିଲେ। ବନବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ପରେ ଜନ୍ତୁ ଶିକାର ପାଇଁ ସେମାନେ ବିଦ୍ୟୁତ ଫାଶ ପକାଇଥିବା ସ୍ବୀକାର କରିବାରୁ ଉକ୍ତ ୨ ଶିକାରୀଙ୍କୁ ଗିରଫ କରାଯାଇଥିଲା। ଗିରଫ ୨ ଅଭିଯୁକ୍ତ କପାଗୋଳା ଗ୍ରାମର ଟଙ୍କଧର ପ୍ରଧାନଙ୍କ ପୁଅ ବିଦ୍ୟାଧର ପ୍ରଧାନ (୪୦) ଏବଂ ମାଧବ ସାହୁଙ୍କ ପୁଅ ଚାନ୍ଦୁ ସାହୁ (୩୫) ବୋଲି ଜଣାପଡିଛି । ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବା ସହିତ ବିଚାର ବିଭାଗୀୟ ହାଜତକୁ ୧୨ ଦିନ ପାଇଁ ପଠାଇ ଦିଆଯାଇଛି।