ରାମ୍ବୁଲି-ମିଞ୍ଜାପାଙ୍କାରେ ଜମିବାଡ଼ିକୁ ନେଇ ୨ ଗୋଷ୍ଠୀ ସଂଘର୍ଷ ଘଟଣା: ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୬।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ରାମ୍ବୁଲି ଓ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ ଆକ୍ସନ ମୁଡ଼ରେ ରହିଛି ଘଟଣାରେ ପୋଲିସ ପକ୍ଷରୁ ଦୁଇ ଗୋଷ୍ଠି ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଗିରଫ କରିଛି। ଗୁରୁବାର ୪ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ବେଳେ ଶୁକ୍ରବାର ଦୁଇ ଗୋଷ୍ଠୀର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାମ୍ବୁଲିର ହରିଶ୍ଚନ୍ଦ୍ର ମଲିକ, କିଶୋର ମଲିକ ଏବଂ ଶରତ ମଲିକ ବୋଲି ପୋଲିସ କହିଛି। ସେମାନଙ୍କ ନାମରେ ମାମଲା (୭୨/୨୫)ରୁଜୁ ହୋଇଛି ସେହିପରି ରାମ୍ବୁଲି ଲୋକଙ୍କ ଅଭିଯୋଗ କ୍ରମେ ଅନ୍ୟ ଗୋଷ୍ଠୀର ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ମାନସ ରଞ୍ଜନ ଶୋଭାସୁନ୍ଦର ଏବଂ ବିନୋଦ ସିଂ ସେମାନଙ୍କ ନାମରେ ମାମଲା (୭୩ /୨୫)ରୁଜୁ ହୋଇଥିବା ପୋଲିସ କହିଛି।ଉଭୟ ଗୋଷ୍ଠୀଙ୍କୁ ପୋଲିସ ସଙ୍ଗୀନ ଦଫା ରେ କୋର୍ଟ ଫରୱାର୍ଡ କରିଥିବା ଜଣାପଡିଛି। ଗିରଫ ମାନସ ରଞ୍ଜନ ଶୋଭାସୁନ୍ଦର ମିଞ୍ଜାପାଙ୍କାର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷ ହେଲା ରାମ୍ବୁଲି ଗ୍ରାମର କିଛି ଉପଭୋକ୍ତାଙ୍କୁ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜମିପଟ୍ଟା ଯୋଗାଇ ଦିଆଯାଇଥିଲା। କିନ୍ତୁ ଦୀର୍ଘ ବର୍ଷ ହେଲା ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଇନଥିଲା। ବାରମ୍ବାର ଉପଭୋକ୍ତାମାନେ ତହସିଲ କାର୍ଯ୍ୟାଳୟ ଏବଂ ରାଜସ୍ବ ନିରୀକ୍ଷକଙ୍କ ନିକଟକୁ ଦୌଡ଼ି ଦୌଡ଼ି ଶେଷରେ ଏବେ କିଛି ଦିନ ହେଲା ଜମି ଚି଼ହ୍ନଟ କରି ଉପଭୋକ୍ତାମାନଙ୍କୁ ଦଖଲ କରିବା ପାଇଁ ଜଣାଯାଇଥିଲା। ଉପଭୋକ୍ତାମାନେ ଉକ୍ତ ଜମିରେ ଘର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ମିଞ୍ଜାପାଙ୍କା ଗ୍ରାମବାସୀ ଆମ ଜମି ଆମେ ପୂର୍ବ ପୁରୁଷରୁ ଉକ୍ତ ଜମି ଆମର ରହିଛି ବୋଲି ସେମାନେ ମେଶିନ ଲଗାଇ ସଫା କରିବା ଆରମ୍ଭ କରୁଥିଲେ। ଫଳରେ ବୁଧବାର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଏହାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଉଭୟ ଗୋଷ୍ଠୀର ଏକାଧିକ ଲୋକ ଏଥିରେ ଆହତ ହୋଇଥିଲେ। ପରେ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ସନ୍ଧ୍ୟାରେ ଉଭୟ ଗୋଷ୍ଠୀଙ୍କୁ ନେଇ ଏକ ଶାନ୍ତି ବୈଠକରେ ଜମିବାଡ଼ି ସମ୍ପର୍କିତ ଆଲୋଚନା ହୋଇଥିଲା ଏବଂ କିଛି ସମାଧାନର ନିଷ୍କର୍ଷ ମଧ୍ୟ ବାହାରିଥିଲା। ତେବେ ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ କ୍ରମେ ପୋଲିସ ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିବା ଜଣାପଡିଛି।

Share