ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଲି ଅଞ୍ଚଳର ଏକ ପଡ଼ିଆରେ ବିଭିନ୍ନ କାରଖାନାରୁ ନିଷ୍କାସିତ ଫ୍ଲାଏ ଆସ୍ ପକାଇବାକୁ ନେଇ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫ୍ଲାଏଆସ୍ ପକାଇବାକୁ ବିରୋଧ କରି ଗତ କିଛିଦିନ ତଳେ ସ୍ଥାନୀୟ କିଛି ଲୋକ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ଅନ୍ୟପଟେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ସେହି ଅଭିଯୋଗକୁ ଖଣ୍ଡନ କରି ଶୁକ୍ରବାର ଜିଲାପାଳଙ୍କୁ ଫେରାଦ ହୋଇ ଆଉ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଧନୁଯାତ୍ରା ପଡ଼ିଆ, ଖେଳ ପଡ଼ିଆ ପାଇଁ ସମ୍ପୃକ୍ତ ଜାଗାରେ ମାଟି, ଫ୍ଲାଏଆସ୍ ପକାଯାଉଛି। ଫଳରେ ସେଥିପାଇଁ ଅନୁମତି ଦେବାକୁ ଗ୍ରାମବାସୀ ଜିଲାପାଳ ଗୋୟଲଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଥୁଆପାଲି ଅଞ୍ଚଳର କିଛି ପଡ଼ିଆ ଜମିରେ କାରଖାନାରୁ ନିର୍ଗତ ଫ୍ଲାଏଆସ୍ ପକାଇବାକୁ ନେଇ ଅସନ୍ତୋଷ ଦେଖାଯାଇଥିଲା। ଫ୍ଲାଏଆସ୍ ଯୋଗୁ ଅଞ୍ଚଳ ପ୍ରଦୂଷିତ ହେଉଥିବା ଏବଂ ଦୁର୍ଘଟଣା ଆଶଙ୍କା ଥିବା ଅଭିଯୋଗ କରି ଅଞ୍ଚଳର କିଛି ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ସେହି ଅଭିଯୋଗକୁ ବିରୋଧ କରିଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ପଡ଼ିଆକୁ ସୁବ୍ୟବସ୍ଥିତ କରି ଏକ ଖେଳ ପଡ଼ିଆ ଏବଂ ଧନୁଯାତ୍ରା ପଡ଼ିଆ କରିବା ପାଇଁ ସେଠାରେ ଫ୍ଲାଏଆସ୍ ପକାଇ ବ୍ୟବହାର ଉପଯୋଗୀ କରିବାର ପ୍ରୟାସ ଜାରି ରହିଥିବା ଗ୍ରାମବାସୀ କହିଛନ୍ତି। ଏଭଳି ସ୍ଥିତିରେ କିଛି ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ତାକୁ ବିଫଳ କରିବା ପାଇଁ ଅପଚେଷ୍ଟା ଚଲାଇଥିବା ଅଭିଯୋଗ ହୋଇଛି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ପଡ଼ିଆର ଉନ୍ନତୀକରଣରେ ସହଯୋଗ କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସ୍ମାରକପତ୍ର ପ୍ରଦାନ ବେଳେ ଜିତେନ୍ଦ୍ର ପୋଢ଼, ସୁରେନ୍ଦ୍ର ପୋଢ଼, ଶୈଳେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।