ଫ୍ଲାଟ୍‌ ବାଲକୋନିରେ ଫସି ରହିଥିଲେ ଦୁଇ ସାଙ୍ଗ, ମୁକୁଳିବା ପାଇଁ ବ୍ଲିଙ୍କିଟ୍‌ରେ ଅର୍ଡର କଲେ ଜିନିଷ, ଆଉ ତା’ ପରେ…

ସାଧାରଣତଃ କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ ପୋଲିସ କିମ୍ବା ଅଗ୍ନିଶମ ବାହିନୀକୁ ପ୍ରଥମେ କଲ୍‌ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଅସୁବିଧାରେ ପଡ଼ି କେହି କେବେ ଅନ୍‌ଲାଇନ୍‌ରେ କିଛି ଜିନିଷ ଅର୍ଡର କରିବାର। କିନ୍ତୁ ଏପରି ଏକ ଘଟଣା ଘଟିଛି ପୁଣେରେ।

ପୁଣେର ମିହିର ଗହୁକର ଏବଂ ତାଙ୍କ ସାଙ୍ଗଙ୍କ ସହିତ ଘଟିଛି। ବୁଧବାର ବିଳମ୍ବିତ ରାତିରେ ମିହିର ଏବଂ ତାଙ୍କ ସାଙ୍ଗ ଦୁର୍ଭାଗ୍ୟବଶତଃ ସେମାନଙ୍କ ଫ୍ଲାଟର ବାଲକୋନିରେ ଫସି ରହିଗଲେ। ବାଲକୋନି ଗେଟ୍‌ ବାହାରୁ ବନ୍ଦ ଥିଲା। ମିହିରଙ୍କ ମାଆବାପା ଭିତରେ ଗାଢ଼ ନିଦରେ ଶୋଇଥିଲେ। ଦୁଇ ସାଙ୍ଗ ଭାବୁଥିଲେ ସେମାନେ ଯଦି ପାଟି କରିବେ  କିମ୍ବା କବାଟ ବାଡ଼ାନ୍ତି ତେବେ ସେମାନଙ୍କ ମାଆବାପା ଉଠିପଡ଼ିବେ ଏବଂ ସେମାନଙ୍କୁ ଗାଳି ବି ଦେବେ।

ଏପରି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ମିହିର ତାଙ୍କ ବୁଦ୍ଧି ଖଟାଇଲେ। ସେ ତୁରନ୍ତ ବ୍ଲିଙ୍କିଟ ଆପ୍‌ ଖୋଲି କିଛି ଛୋଟ ଜିନିଷ ଅର୍ଡର କଲେ। ତାଙ୍କର ଉଦ୍ଦେଶ୍ୟ ଜିନିଷ ଅର୍ଡର କରିବା ନୁହେଁ, ବରଂ ବାହାରେ ଠିଆ ହୋଇ ତାଙ୍କୁ ସାହାଯ୍ୟ କରିପାରିବା ଭଳି ଜଣଙ୍କୁ ଡାକିବାର ଥିଲା। ଡେଲିଭରି ଏଜେଣ୍ଟ ଅର୍ଡର ନେଇ ଆସିବା ମାତ୍ରେ ମିହିର ବାଲକୋନିରୁ ତାଙ୍କର ଅସୁବିଧା ବୁଝାଇଲେ।

ମିହିର ଚୁପ୍‌ଚାପ ଏଜେଣ୍ଟଙ୍କୁ ବୁଝାଇଲେ ଯେ, କିପରି ବାହାରୁ ମେନ୍‌ ଗେଟ୍‌ ଖୋଲି ସେମାନଙ୍କୁ କୌଣସି ଶବ୍ଦ ନ କରି ବାଲକୋନିକୁ ବାହାର କରିବେ। ଡେଲିଭରି ଏଜେଣ୍ଟ ମଧ୍ୟ ବହୁତ ଚତୁରତା ଦେଖାଇ କାହାକୁ ନ ଉଠାଇ ଦୁଇ ବନ୍ଧୁଙ୍କୁ ମୁକ୍ତ କରିଥିଲେ।

ମିହିର ଇନଷ୍ଟାଗ୍ରାମରେ (@mihteeor) ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ଶେୟାର କରିଛନ୍ତି, ଯାହା ତୁରନ୍ତ ଭାଇରାଲ ହୋଇଛି। ଭିଡିଓରେ ଡେଲିଭରି ବୟ ତଳେ ଠିଆ ହୋଇ ହାତ ହଲାଇଥିବା ଦେଖାଯାଉଛି। ୟୁଜର୍ସମାନେ ବି ପ୍ରତିକ୍ରିୟା ଦେଇଛନ୍ତି। ବ୍ଲିଙ୍କିଟ ନିଜେ ଏକ ହାସ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରତିକ୍ରିୟା ଦେଇ ଲେଖିଛି, ଏହା କେବଳ ପୁଣେରେ ହୋଇପାରେ। ଜଣେ ୟୁଜର ଲେଖିଛନ୍ତି, ବ୍ଲିଙ୍କିଟ ଏବେ କେବଳ ସାମଗ୍ରୀ ନୁହେଁ, ବରଂ ଖୁସି ଏବଂ ସ୍ବାଧୀନତା ମଧ୍ୟ ପ୍ରଦାନ କରେ। ଆଉ ଜଣେ ମଜା କରି ଲେଖିଛନ୍ତି, ଯଦି ବ୍ଲିଙ୍କିଟ ବୟ ଗେଟ୍‌ ଖୋଲି ନ ଥାନ୍ତେ ତେବେ କ’ଣ ହୋଇଥାନ୍ତା?

Dharitri – Odisha’s No.1 Odia Daily